ନୂଆଦିଲ୍ଲୀ: ଗତ ୬ ଘଣ୍ଟା ଧରି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘଣ୍ଟାପ୍ରତି ୬ କିଲୋମିଟର୍‌ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ଆଜି ଭୋର୍‌ ୫.୩୦ରେ ସାମୁଦ୍ରିକ ବାତ୍ୟା ‘ଅସାନି’ ସେହି ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା କଥା ୨୮ ନମ୍ବର ‘ନ୍ୟାସ୍‌ନାଲ୍‌ ବୁଲେଟିନ୍‌’ରୁ ଜଣାପଡ଼ିଛି।

Advertisment

ସ୍ଥଳଭାଗରୁ ହିସାବ କରି ଦେଖିଲେ, ‘ଅସାନି’ ମଚିଲିପଟନମ୍‌ର (ଆନ୍ଧ୍ରପ୍ରଦେଶ) ଦକ୍ଷିଣକୁ ୪୦ କିଲୋମିଟର୍‌, କାକିନଡ଼ାର (ଆନ୍ଧ୍ରପ୍ରଦେଶ) ଦକ୍ଷିଣପଶ୍ଚିମକୁ ୨୯୦ କିଲୋମିଟର୍‌, ଗୋପାଳପୁରର (ଓଡ଼ିଶା) ଦକ୍ଷିଣପଶ୍ଚିମକୁ ୫୦୦ କିଲୋମିଟର୍‌ ଏବଂ ପୁରୀର (ଓଡ଼ିଶା) ୬୪୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି।

publive-image Image Courtesy of The Times of India

ଆଗାମୀ ଅଳ୍ପ କିଛି ଘଣ୍ଟା ଲାଗି ଏହା ଉତ୍ତର ଦିଗକୁ ଗତି କରିବା ପରେ ଧୀରେ ମୋଡ଼ ବଦଳାଇ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇ ଆଜି ମଧ୍ୟାହ୍ନରୁ ସନ୍ଧ୍ୟା ମଧ୍ୟରେ ନାର୍ସପୁର, ଯାନମ, କାକିନାଡ଼ା, ଟୁନି ଏବଂ ବିଶାଖାପାଟଣା ଉପକୂଳ ଅଞ୍ଚଳ ବାଟ ଦେଇ ରାତିସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବାର ବିଶେଷ ସମ୍ଭାବନା ଅଛି।

ଏଥପାଇଁ ଆନ୍ଧ୍ର ପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ‘ରେଡ୍‌ ଆଲର୍ଟ’ ଜାରି କରାଯାଇଛି। ଆଜି ସକାଳୁ କାକିନାଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ବାତ୍ୟା ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ପ୍ରସ୍ତୁତି ଚଳାଇଛନ୍ତି।

ଗୁରୁବାର ସକାଳ (ମେ ୧୨ ତାରିଖ) ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ଅସାନି’ କ୍ରମଶଃ ଦୁର୍ବଳ ହୋଇ ପୁଣି ଅବପାତ ପାଲଟିଯିବ।