ସାମୁଦ୍ରିକ ବାତ୍ୟା ନିସର୍ଗ: ରେଡ ଆଲର୍ଟ ଜାରିକଲା ପାଣିପାଗ ବିଭାଗ, ମୁମ୍ବାଇକୁ ବିପଦ

ନୂଆଦିଲ୍ଲୀ:  ଆରବ ସାଗରରେ ଉତ୍ତର ଦିଗକୁ ଗତି କରୁଥିବା ସାମୁଦ୍ରିକ ବାତ୍ୟା ନିସର୍ଗ ବୁଧବାର ମହାରାଷ୍ଟ୍ର ଉପକୂଳ ଛୁଇଁବ।  ଭାରତୀୟ ପାଣିପାଗ ବିଭାଗ ଆଜି କହିଛି ଯେ ସାମୁଦ୍ରିକ ବାତ୍ୟା ନିସର୍ଗ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ।

ନିସର୍ଗ ବର୍ତ୍ତମାନ ଆରବ ସାଗର ଉପରେ  ୧୧ କିଲୋମିଟର ବେଗରେ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଏହା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ପଞ୍ଜିମ (ଗୋଆ)ର ପଶ୍ଚିମ-ଦକ୍ଷିଣ-ପଶ୍ଚିମରେ ୨୮୦ କିଲୋମିଟର ଦୂରରେ ରହିଛି। ସେହିପରି  ମୁମ୍ବାଇ (ମହାରାଷ୍ଟ୍ର) ର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୪୯୦ କିଲୋମିଟର  ଏବଂ ସୁରଟ (ଗୁଜୁରାଟ) ର ଦକ୍ଷିଣ-ପଶ୍ଚିମ ଦିଗରେ ୭୧୦ କିଲୋମିଟର ଦୂରରେ ଗତି କରୁଛି।

ବିଭାଗ  ଆହୁରି ମଧ୍ୟ କହିଛି ଯେ ଆସନ୍ତା ୬ ଘଣ୍ଟା ମଧ୍ୟରେ  ଉତ୍ତର ଦିଗକୁ ଗତି କରି ଏବଂ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରି  ବାତ୍ୟା ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟ ଉପକୂଳ ଦେଇ ହରିହରେଶ୍ୱର (ମହାରାଷ୍ଟ୍ରର ରାଇଗଡରେ) ଏବଂ ଦାମନ ମଧ୍ୟରେ ଜୁନ୍ ୩ ଅପରାହ୍ନରେ ଅତିକ୍ରମ କରିବ।

ଏହି ବାତ୍ୟା ସମୟରେ  ୯୦ରୁ ୧୦୦  କିଲୋମିଟର ବେଗରେ ପବନ ବହିପାରେ | ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୦୫ରୁ ୧୧୫ କିଲୋମିଟର ରହିବ। ଏହି ବେଗ ୧୨୫  କିଲୋମିଟର  ବି ପହଞ୍ଚିପାରେ ବୋଲି ଆକଳନ କରାଯାଉଛି |  ନିସର୍ଗ ପ୍ରଭାବରେ  ମୁମ୍ବାଇର ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇପାରେ ଏବଂ ବହୁ  ଗଛ ଓ  ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପାରେ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ ଏବଂ କେରଳ ଉପକୂଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ  ପରାମର୍ଶ ଦିଆଯାଇଛି।

ନିସର୍ଗକୁ ଦୃଷ୍ଟିରେ ରଖି ମୁମ୍ବାଇ ଓ ମହାରାଷ୍ଟ୍ରର ଥାନେ, ପାଲଘର, ରାୟଗଡ, ରତ୍ନଗିରି ଏବଂ ସିନ୍ଧୁଦୁର୍ଗ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ସୋମବାର ଏହି ଜିଲ୍ଲାଗୁଡିକ ପାଇଁ ଜୁନ୍ ୩ ଏବଂ ୪ ଲାଗି ରେଡ୍ ଆଲର୍ଟ ଜାରି କରିଛି। ଏହି ଅଞ୍ଚଳରେ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପରିମାଣ ୨୦୪  ମିଲିମିଟରରୁ ଅଧିକ ହୋଇପାରେ। ତେଣୁ ଅଧିବାସୀମାନେ ସୁରକ୍ଷିତ ରହିବା ପାଇଁ ସତର୍କ କରାଇଛି ବିଭାଗ।

ଉଭୟ ମହାରାଷ୍ଟ୍ର ଏବଂ ଗୁଜରାଟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ ନିମ୍ନମାନର ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର