ଭୀଷଣ ରୂପ ନେଉଛି ସାମୁଦ୍ରିକ ଝଡ଼ ‘ନିଭାର’: ସ୍ଥିତି ସମ୍ପର୍କରେ ତାମିଲନାଡ଼ୁ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ ଚେନ୍ନାଇ: ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ନିଭାର’ ଧୀରେ ଧୀରେ ଭୀଷଣ ରୂପ ଧାରଣ କରିବା ସହ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆସନ୍ତାକାଲି (ନଭେମ୍ବର ୨୫, ଗୁରୁବାର) ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ଆଜି ସକାଳୁ ତମାମ୍‌ ତାମିଲନାଡୁ ସମେତ ଦକ୍ଷିଣ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି।

ସମ୍ଭାବ୍ୟ ଝଡ଼କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଆସନ୍ତାକାଲି ରାଜ୍ୟବ୍ୟାପୀ ସର୍ବସାଧାରଣ ଛୁଟି ଘୋଷଣା କରିଛନ୍ତି। କାରଣ ଆସନ୍ତାକାଲି ସନ୍ଧ୍ୟାରେ କରାଇକାଲ ଏବଂ ମମଲାଲାପୁରମ୍‌ ମଧ୍ୟରେ ସାମୁଦ୍ରିକ ଝଡ଼ ନିଭାର୍‌ ତାମିଲନାଡୁ-ପୁଡୁଚେରୀ ଉପକୂଳ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଏହି ଘୂର୍ଣ୍ଣିବଳୟର ପ୍ରଭାବରେ ତାମିଲନାଡୁରେ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସତର୍କ କରାଇ ଦେଇଛି।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସ୍ଥଳଭାଗ ଅତିକ୍ରମ କଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିଲୋମିଟର ରହିବା ସହ ପବନ ଝଟକାର ବେଗ ୧୨୦ କିଲୋମିଟର ରହିବ। ନଭେମ୍ବର ୨୫ରେ ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ତାମିଲନାଡୁ ଜିଲ୍ଲାଗୁଡ଼ିକରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସବୁଠାରୁ ଅସୁରକ୍ଷିତ ଅଞ୍ଚଳ ହେଉଛି ଉତ୍ତର ତାମିଲନାଡୁ ଜିଲ୍ଲା ବୋଲି ସତର୍କ କରାଇ ଦେଇଛନ୍ତି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଅନ୍ୟପକ୍ଷରେ ଏହି ସାମୁଦ୍ରିକ ଝଡ଼ ନିଭାର ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀଙ୍କ ସହ ଆଲୋଚନା କରିଛନ୍ତି।

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଶ୍ରୀ ପାଲାନିସ୍ୱାମୀ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଶ୍ରୀ ନାରାୟଣସ୍ୱାମୀଙ୍କ ସହ ସମ୍ଭାବ୍ୟ ଝଡ଼ ‘ନିଭାର’ ସମ୍ପର୍କରେ ଆଲୋଚନା କରିଛି। କେନ୍ଦ୍ର ତରଫରୁ ସମସ୍ତ ଯଥାସମ୍ଭବ ସହାୟତା ସକାଶେ ପ୍ରତିଶ୍ରୁତି ଦେଇଛି। ବାତ୍ୟାଞ୍ଚଳରେ ଥିବା ଜନସାଧାରଣ ନିରାପଦ ରୁହନ୍ତୁ ବୋଲି ପ୍ରାର୍ଥନା କରୁଛି।’

ସମ୍ବନ୍ଧିତ ଖବର