ଭୁବନେଶ୍ୱର/ନୂଆଦିଲ୍ଲୀ : କମ୍ ଇନ୍ଧନ ବ୍ୟବହାର ନେଇ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ସାଇକ୍ଲୋଥନ୍ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍ଘାଟନ କରିଥିଲେ। ଜବାହାରଲାଲ ନେହରୁ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ‘ସକ୍ଷମ ପେଡାଲ୍ ଦିଲ୍ଲୀ’ ନାମରେ ନାମିତ କରାଯାଇଥିଲା। ପାଞ୍ଚ ହଜାରରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ। ତୈଳ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟର କର୍ମଚାରୀ, ତୈଳ ଶିଳ୍ପ, ଖେଳାଳି ଓ ବିଭିନ୍ନ ସ୍କୁଲ୍, କଲେଜର ଛାତ୍ରଛାତ୍ରୀଙ୍କ ଗହଣରେ ଅଭିନେତା ଫରହାନ୍ ଅଖତର୍ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜେ ପାଞ୍ଚ କିମି ସାଇକେଲ୍ ଚଲାଇ ସଚେତନତା କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।
ଶ୍ରୀ ପ୍ରଧାନ କହିଥିଲେ, ସାଇକେଲ୍ ଚଲାଇବା ଦ୍ୱାରା କେବଳ ଇନ୍ଧନ ଓ ପର୍ଯ୍ୟାବରଣର ସୁରକ୍ଷା ନୁହେଁ, ବରଂ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଓ ଫିଟ୍ନେସ୍ ଉପରେ ବଡ଼ ପ୍ରଭାବ ପଡ଼ିଥାଏ। ଇନ୍ଧନ ସଂରକ୍ଷଣ ଦେଶବାସୀଙ୍କ ସାମୂହିକ ଦାୟିତ୍ୱ। ସମସ୍ତଙ୍କ ମିଳିତ ସହଯୋଗରେ ଆଗାମୀ ପିଢ଼ି ପାଇଁ ସୁସ୍ଥ ପର୍ଯ୍ୟାବରଣ ଉତ୍ତରାଧିକାର ସୂତ୍ରରେ ଦିଆଯାଇପାରିବ।