ବୁଧବାରଦିନ ମହାରାଷ୍ଟ୍ରର ଆଲିବାଗ ନିକଟରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ବାତ୍ୟା ନିସର୍ଗ

ମୁମ୍ବାଇ : ସାମୁଦ୍ରିକ ବାତ୍ୟା ନିସର୍ଗ ଆସନ୍ତା କାଲି ମହାରାଷ୍ଟ୍ରର ଆଲିବାଗ ନିକଟରେ ସ୍ଥଳଭାଗ ଛୁଇଁବ । ଏହା ଫଳରେ ମୁମ୍ବାଇ ମହାନଗରୀ ପାଇଁ ବିପଦ ଆଶଙ୍କା ବଢିଯାଇଛି । ଏହା ଦୃଷ୍ଟିରେ ରଖି ମୁମ୍ବାଇରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଛି । ସମୁଦ୍ରକୂଳରେ ବୁଲାବୁଲି କରିବାକୁ ଲୋକମାନଙ୍କୁ ବାରଣ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଜି ଆରବ ସାଗରରେ ଥିବା ଡିପଡିପ୍ରେସନ ଏକ ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି । ଆସନ୍ତା କାଲି ଅପରାହ୍ଣରେ ଏହି ଭୀଷଣ ସାମୁଦ୍ରିକ ବାତ୍ୟା ମହାରାଷ୍ଟ୍ରର ଆଲିବାଗ ନିକଟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିବ । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ନାସିକ, ପୁନେ, ଥାନେ, ମୁମ୍ବାଇ, ପାଲଘର, ରାଇଗଡ, ଧୁଲେ, ନାନ୍ଦୁରବାର ଆଦି ଅଂଚଳରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ପୂର୍ବରୁ ପାଣିପାଗ ବିଭାଗ ଅଟକଳ କରିଥିଲା ଯେ ଏହା ଗୁଜୁରାଟରେ ସ୍ଥଳଭାଗ ଛୁଇଁବ । କିନ୍ତୁ ନିସର୍ଗ ନିଜର ଗତି ବଦଳାଇବା ପରେ ମହାରାଷ୍ଟ୍ର ଉପକୂଳ ଆଡକୁ ଗତିକରୁଛି । ତେବେ ସ୍ଥିତିକୁ ନଜରରେ ରଖି ଉଭୟ ମହାରାଷ୍ଟ୍ର ଓ ଗୁଜୁରାଟରେ ଏନଡିଆରଏଫ ଟିମ ମୁତୟନ କରାଯାଇଛି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହା ସ୍ଥିତିର ସମୀକ୍ଷା କରିବା ସହ ଉଭୟ ମହାରାଷ୍ଟ୍ର ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ସରକାର ସବୁପ୍ରକାରର ସହାୟତା କରିବେ ବୋଲି ମୋଦୀ କହିଛନ୍ତି ।

ସମ୍ବନ୍ଧିତ ଖବର