ଟାଟା ଗ୍ରୁପ୍  ବିରୋଧରେ ନିଜ ସମ୍ମାନ ପାଇଁ ଲଢିଥିଲେ ସାଇରସ୍  

ମୁମ୍ବାଇ : ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସାପୁର ଜି ପାଲୁନଜୀ ଗ୍ରୁପ୍ ମୁଖ୍ୟ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ପୁଣି ଚର୍ଚ୍ଚାକୁ ଆସିଛି ଟାଟା ଗ୍ରୁପ ବିରୋଧରେ ସେ ନିଜ ସମ୍ମାନ ପାଇଁ ଲଢିଥିବା ଲଢେଇ ।

୧୯୬୮ରେ ମୁମ୍ବାଇର ଏକ ପାର୍ସି ପରିବାରରେ ଜନ୍ମ ଗ୍ରହଣ କରିଥିବା ସାଇରସ ମାତ୍ର ୪୪ ବର୍ଷ ବୟସରେ ଟାଟା ଗ୍ରୁପ ପରି ଏକ ବିଶାଳ ବ୍ୟବସାୟ ସାମ୍ରାଜ୍ୟର ମଙ୍ଗ ସମ୍ଭାଳିଥିଲେ । କୁହାଯାଏ ସେ ପ୍ରଥମରୁ ଏହି ଦାୟିତ୍ବ ନେବାକୁ ଇଚ୍ଛୁକ ନଥିଲେ । କିନ୍ତୁ ନିଜେ ରତନ ଟାଟା ତାଙ୍କୁ ଏଥିପାଇଁ ପ୍ରବର୍ତ୍ତାଇଥିଲେ । ଫଳରେ ସେ ୨୦୧୨ରେ ଟାଟା ଗ୍ରୁପର ଦାୟିତ୍ବ ସମ୍ଭାଳିଥିଲେ ।  ସେ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଟାଟା ସନ୍ସର ଅଧ୍ୟକ୍ଷ ଥିଲେ ।

କିନ୍ତୁ ୨୦୧୬ରେ ତାଙ୍କୁ ଯେଉଁଭଳି ଭାବେ ହଠାତ୍ ଟାଟା ଗ୍ରୁପର ଅଧ୍ୟକ୍ଷ ପଦରୁ ବିଦା କରାଗଲା ତାହା ସମସ୍ତଙ୍କୁ ଚକିତ କରିଥିଲା । ସେହି ବର୍ଷ ଅକ୍ଟୋବର ମାସରେ ଟାଟା ସନ୍ସର ବୋର୍ଡ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବାକୁ ଭୋଟ  ଦେଇଥିଲା । ଏହା ପରେ ମିସ୍ତ୍ରୀଙ୍କୁ ହଟାଇଦିଆଯାଇଥିଲା । କେଉଁ କାରଣ ପାଇଁ ତାଙ୍କୁ ହଟାଯାଇଥିଲା ସେ ତାହାର କାରଣ ପଚାରନ୍ତେ, ତାହାର କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା । ତାଙ୍କର ଭୁଲ ନିଷ୍ପତ୍ତି ଯୋଗୁଁ ଟାଟା ଗ୍ରୁପର କ୍ଷତି ହୋଇଥିବା ତାଙ୍କୁ କୁହାଗଲା । କିନ୍ତୁ ଏଥିରେ ସେ ସନ୍ତୁଷ୍ଟ ହୋଇନଥିଲେ । ତେବେ ବୋର୍ଡ ନିଷ୍ପତ୍ତି  ବିରୋଧରେ ସେ ପ୍ରଥମେ ଜାତୀୟ କମ୍ପାନି ଲ’ ଟ୍ରାଇବୁନାଲଙ୍କ  ଆଶ୍ରୟ ନେଇଥିଲେ । କିନ୍ତୁ ଟ୍ରିବୁନାଲଙ୍କ ରାୟ ତାଙ୍କ ବିରୋଧରେ ଯାଇଥିଲା । ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ । ସେଠାରୁ ମଧ୍ୟ ସେ ନିରାଶ ହୋଇଥିଲେ ।

 

ସମ୍ବନ୍ଧିତ ଖବର