ମୁମ୍ବାଇ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀ ଓ ତାଙ୍କ ବନ୍ଧୁ ଜାହାଙ୍ଗୀର ପାଣ୍ଡୋଲ୍‌ଙ୍କ ଶରୀର ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି। ସାଇରସ୍‌ ମିସ୍ତ୍ରୀଙ୍କ ମୃତ୍ୟୁର କାରଣ ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡ଼ିକରେ ଗୁରୁତର ଭାବେ ବାହାର ଓ ଭିତରର ଆଘାତ ବୋଲି ଜଣାପଡ଼ିଛି। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।

Advertisment

ସାଇରସ ମିସ୍ତ୍ରୀ ଓ ତାଙ୍କ ବନ୍ଧୁଙ୍କ ବ୍ୟବଚ୍ଛେଦ ମୁମ୍ାଇର ଜେଜେ ହସ୍ପିଟାଲ୍‌ରେ ହୋଇଛି। ସାଇରସ୍‌ ମିସ୍ତ୍ରୀଙ୍କ ଶରୀର ବ୍ୟବଚ୍ଛେଦ ରିପୋର୍ଟରେ ଗୁରୁତର ଭାବେ ମୁଣ୍ଡରେ ଆଘାତ ଲାଗିବା ଓ ଛାତି, ଜଙ୍ଘ ଏବଂ ବେକ ଆଦି ଗୁରୁତ୍ବପୂର୍ଣ୍ଣ ଅଙ୍ଗରେ ଖୁବ୍ ଜୋର୍‌ରେ ମାଡ଼ ହୋଇଥିବା ଉଲ୍ଲେଖ ଅଛି।

ଜେଜେ ହସ୍ପିଟାଲ୍‌ର କର୍ତ୍ତୃପକ୍ଷ ସୂଚନା ଦେଇ କହିଛନ୍ତି ଯେ ମିସ୍ତ୍ରୀଙ୍କ ନମୁନାକୁ ଫରେନ୍‌ସିକ୍‌ ସାଇନ୍ସ ଲାବ୍ରୋଟୋରିକୁ ପଠାଯିବ। ତାଙ୍କ ଶରୀରରେ କୌଣସି ପ୍ରକାରର ରସାୟନିକ, ମଦ କିମ୍ବା ବିଷ ଅଛି କି ନାହିଁ ପରୀକ୍ଷା କରାଯିବ।

ଉଲ୍ଲେଖଯୋଗ୍ୟ, ରବିବାର ଦିନ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କର ପରଲୋକ ହୋଇଛି। ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ବେଳେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ତାଙ୍କର ମର୍ସିଡିସ୍ କାର୍ ଡିଭାଇଡର୍‌ରେ ପିଟି ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସାଇରସଙ୍କୁ ୫୪ ବର୍ଷ ହୋଇଥିଲା। ସାଇରସଙ୍କ ପତ୍ନୀ ଓ ଦୁଇ ପୁଅ ଅଛନ୍ତି। ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଏବେ ବିଦେଶରେ ଥିବା ଜଣାପଡ଼ିଛି।