କାର୍‌ ଦୁର୍ଘଟଣାରେ ସାଇରସ୍‌ ମିସ୍ତ୍ରୀଙ୍କ ପରଲୋକ

ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିଲେ, ଡିଭାଇଡର୍‌ରେ କାର୍‌ ପିଟିହୋଇଗଲା

ମୁମ୍ବାଇ : ରବିବାର ଦିନ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କର ପରଲୋକ ହୋଇଛି। ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ବେଳେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ତାଙ୍କର ମର୍ସିଡିସ୍ କାର୍ ଡିଭାଇଡର୍‌ରେ ପିଟି ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା। ସାଇରସଙ୍କୁ ୫୪ ବର୍ଷ ହୋଇଥିଲା। ସାଇରସଙ୍କ ପତ୍ନୀ ଓ ଦୁଇ ପୁଅ ଅଛନ୍ତି। ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଏବେ ବିଦେଶରେ ଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ରବିବାର ଅପରାହ୍ନ ୩ଟା ୧୫ ମିନିଟ୍‌ରେ ସାଇରସ୍‌ଙ୍କ କାର୍‌ ଏକ ପୋଲ ପାଖରେ ଥିବା ଡିଭାଇଡର୍‌ରେ ପିଟିହୋଇଯାଇଥିଲା। ସାଇରସଙ୍କୁ ମିଶାଇ ଗାଡ଼ିରେ ଚାରି ଜଣ ଥିଲେ। ସାଇରସ୍‌ଙ୍କ ସମେତ ଦୁଇ ଜଣଙ୍କ ସେହିଠାରେ ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟ ମୃତକ ଜଣଙ୍କ ନାମ ହେଉଛି ଜାହାଙ୍ଗୀର ବିନଶାହ ପାଣ୍ଡୋଲେ। ଆହତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ର ଡାକ୍ତର ଅନାହିତା ପାଣ୍ଡୋଲେ ଓ ତାଙ୍କ ସ୍ବାମୀ ତଥା ଜେଏମ୍ ଫାଇନାନ୍ସିଆଲ୍ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଡାରିଅସ୍ ପାଣ୍ଡୋଲେ। ଭାପି ସ୍ଥିତ ରେ‌ନ୍‌ବୋ ହସ୍ପିଟାଲ୍‌‌ର ଆଇସିୟୁରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ସେମାନେ ବିପଦମୁକ୍ତ ଥିବା ଜଣାପଡ଼ିଛି।
ପାଲଘର ଏସ୍‌ପି ବାଲାସାହେବ ପାଟିଲ କହିଛନ୍ତି ଯେ ଡାକ୍ତର ଅନାହିତା ପାଣ୍ଡୋଲେ ଗାଡ଼ି ଚଲାଉଥିଲେ। ପ୍ରାରମ୍ଭିକ ଭାବେ ଜଣାପଡ଼ିଛି ଯେ କାରଟି ଦ୍ରୁତ ଗତିରେ ଯାଉଥିଲା। ରଙ୍ଗ୍‌ ସାଇଡ୍‌ରେ (ବାମ ପଟୁ) ଆଉ ଗୋଟିଏ ଗାଡ଼ିକୁ ଓଭରଟେକ୍ କରିବାକୁ ଉଦ୍ୟମ କରିବା ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ ଓ କାରଟି ଡିଭାଇଡର୍‌ରେ ଯାଇ ପିଟି ହୋଇଥିଲା। ତେବେ ଏହି ଦୁର୍ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି। ସାଇରସ ଏବଂ ପ୍ରାଣ ହରାଇଥିବା ଜାହାଙ୍ଗୀର ପାଣ୍ଡୋଲେ କାରର ପଛ ସିଟ୍‌ରେ ବସିଥିଲେ।

ପାଣ୍ଡୋଲେ ଦମ୍ପତିଙ୍କ ବନ୍ଧୁ ଥିଲେ ସାଇରସ୍। ପାଣ୍ଡୋଲେଙ୍କ ବାପାଙ୍କର ଦୁଇ ସପ୍ତାହ ପୂ‌ର୍ବେ ଦେହାନ୍ତ ହୋଇଥିଲା। ତାଙ୍କ ଶେଷକୃତ୍ୟରେ ଯୋଗ ଦେବା ପାଇଁ ସାଇରସ୍ ପାଣ୍ଡୋଲେ ଦମ୍ପତିଙ୍କ ସହ ଗୁଜରାଟର ଉଡ୍‌ଭାଡା ‌ଯାଇଥିଲେ। ସେଠାରୁ ଫେରିବା ବେଳେ ମୁମ୍ବାଇ ଠାରୁ ୧୦୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାଇରସ୍‌ ଓ ଜାହାଙ୍ଗୀରଙ୍କ ଶବ ବ୍ୟବଚ୍ଛେଦ ମୁମ୍ବାଇର ଜେଜେ ହସ୍ପିଟାଲ୍‌ରେ ହେବ। ତାହାର ଭଡିଓ ରେକର୍ଡିଂ କରାଯିବ।

ଏହି ଦୁଃଖଦ ଖବର ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏଭଳି ଅସମୟ‌ରେ ସାଇରସଙ୍କ ମୃତ୍ୟୁକୁ ନେଇ ମୁଁ ହତବାକ। ତାଙ୍କ ମୃତ୍ୟୁ ଶିଳ୍ପ ଓ ବାଣିଜ୍ୟ ଜଗତ ପାଇଁ ଏକ ବଡ଼ କ୍ଷତି। ତାଙ୍କ ବନ୍ଧୁ ଓ ପରିଜନଙ୍କୁ ମୁଁ ସମବେଦନା ଜଣାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କଠାରୁ ଆରମ୍ଭ କରି ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ, ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୋକ ପ୍ରକାଶ କରାଯାଇଛି। ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ରତନ ଟାଟାଙ୍କ ଅବସର ପରେ ୨୦୧୨ରେ ସାଇରସଙ୍କୁ ଟାଟା ସନ୍ସର ଷଷ୍ଠ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଟାଟା ପରିବାରର ବାହାର ପ୍ରଥମ ସଦସ୍ୟ ଭାବେ ତାଙ୍କୁ ଏହି ପଦ ମିଳିଥିଲା। ମାତ୍ର ଚାରି ବର୍ଷ ପରେ ୨୦୧୬ରେ ବୋର୍ଡ ବୈଠକ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ସେହି ପଦରୁ ବିଦା କରାଯାଇଥିଲା। ତାଙ୍କୁ ବେଆଇନ ଭାବେ ପଦଚ୍ୟୁତ କରାଯାଇଛି ବୋଲି ସାଇରସ୍ ଅଭିଯୋଗ କରିବା ସହ ନ୍ୟୟ ପାଇବା ଲାଗି ଆଇନର ଆଶ୍ରୟ ନେଇଥିଲେ। ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ଠାରୁ ଆରମ୍ଭ କରି ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ହୋଇଥିଲା। ସୁପ୍ରିମ୍‌କୋର୍ଟ ଟାଟା ସପକ୍ଷରେ ରାୟ ଦେଇଥିଲେ।

ସମ୍ବନ୍ଧିତ ଖବର