ରତନ ଟାଟାଙ୍କୁ ଝଟ୍‌କା! ସାଇରସ୍‌ ମିସ୍ତ୍ରୀଙ୍କୁ ପୁଣି ଟାଟା ସନସ୍‌ର ଅଧ୍ୟକ୍ଷ ରୂପେ ପୁନଃ ଅବସ୍ଥାପିତ କଲେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ: ଆଜି ଏକ ବଡ଼ ବିଜୟ ହାସଲ କରିଛନ୍ତି ଟାଟା ସନସ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀ। ନ୍ୟାସନାଲ କମ୍ପାନି ଲ’ ଆପିଲେଟ୍‌ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ଆଜି ପୁଣି ଥରେ ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନସ୍‌ର ଅଧ୍ୟକ୍ଷ ରୂପେ ପୁନଃ ଅବସ୍ଥାପିତ କରାଇଛନ୍ତି। ଏଥିସହ ବର୍ତ୍ତମାନ ଟାଟା ସନସ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଥିବା ଏନ୍‌ ଚନ୍ଦ୍ରାଙ୍କ ନିଯୁକ୍ତିକୁ ବେଆଇନ୍‌ ବୋଲି କହିଛନ୍ତି ଏନ୍‌ସିଏଲ୍‌ଏଟି।

ଦୁଇଜଣ ବିଚାରପତିଙ୍କୁ ନେଇ ଗଠିତ ଏନ୍‌ସିଏଲ୍‌ଏଟିର ଏକ ଖଣ୍ଡପୀଠ କହିଛନ୍ତି ଯେ ତିନିବର୍ଷ ତଳେ ରତନ ଟାଟା ସାଇରସ୍‌ ମିସ୍ତ୍ରୀଙ୍କୁ ଯେପରି ଢ଼ଙ୍ଗରେ ଟାଟା ସନସ୍‌ର ଅଧ୍ୟକ୍ଷ ପଦରୁ ଅପସାରଣ କରାଇଲେ ତାହା ଦମନମୂଳକ ଥିଲା ଏବଂ ତାଙ୍କ ସ୍ଥାନରେ ଯେଉଁ ନୂତନ ଅଧ୍ୟକ୍ଷଙ୍କୁ ନିଯୁକ୍ତ କଲେ ତାହା ମଧ୍ୟ ବେ ଆଇନ୍‌ ଥିଲା ବୋଲି କହିଛନ୍ତି ଟ୍ରିବ୍ୟୁନାଲ।

ତେବେ, ଏଥିସହ ଟ୍ରିବ୍ୟୁନାଲ ଟାଟା ସନସ୍‌ କର୍ତ୍ତୃପକ୍ଷଙ୍କୁ ୪ ସପ୍ତାହର ସମୟ ମଧ୍ୟ ଦେଇଛନ୍ତି। ଯଦି ଟାଟା ସନସ୍‌ କର୍ତ୍ତୃପକ୍ଷ ଚାହିଁବେ ତେବେ ଏହି ସମୟ ମଧ୍ୟରେ ଟ୍ରିବ୍ୟୁନାଲଙ୍କ ରାୟକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ କରି ପାରିବେ। ନଚେତ, ୪ ସପ୍ତାହ ପରେ ଟ୍ରିବ୍ୟୁନାଲଙ୍କ ରାୟ କାର୍ଯ୍ୟକାରୀ ହେବ।

ଉଲ୍ଲେଖଯୋଗ୍ୟ, ୨୦୧୨ରେ ଟାଟା ସନସ୍‌ର ଅଧ୍ୟକ୍ଷ ପଦରୁ ରତନ ଟାଟା ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ସାଇରସ୍‌ ମିସ୍ତ୍ରୀ ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଥିଲେ। ସାଇରସ୍‌ ମିସ୍ତ୍ରୀ ଓ ତାଙ୍କ ପରିବାରର ୧୮.୪ ପ୍ରତିଶତ ଅଂଶଧନ ଟାଟା ସନସ୍‌ରେ ରହିଛି। ତେବେ, ଗତ ୨୦୧୬ ଅକ୍ଟୋବରରେ ଅତ୍ୟନ୍ତ ଅଶୋଭନୀୟ ଭାବେ ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନସ୍‌ର ଅଧ୍ୟକ୍ଷ ପଦରୁ ଅପସାରିତ କରି ଦିଆ ଯାଇଥିଲା।

ସମ୍ବନ୍ଧିତ ଖବର