ମଙ୍ଗଳବାର ଦିନ ୧୧ଟାରେ ସାଇରସ ମିସ୍ତ୍ରୀଙ୍କ ଶେଷକୃତ୍ୟ

ମୁମ୍ବାଇ : ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ଶେଷକୃତ୍ୟ ଆସନ୍ତା କାଲି (ମଙ୍ଗଳବାର) ମୁମ୍ବାଇଠାରେ ଅନୁଷ୍ଠିତ ହେବ । ମୁମ୍ବାଇର ଓ୍ବର୍ଲିରେ ଥିବା ପାର୍ସୀ ଉପାସନାଗୃହରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏଥିପାଇଁ ବିଶ୍ବର ବିଭିନ୍ନ ଦେଶରେ ରହୁଥିବା ତାଙ୍କ ପରିବାର ଲୋକ ମୁମ୍ବାଇ ପହଞ୍ଚିବାରେ ଲାଗିଛନ୍ତି ।

ମଙ୍ଗଳବାର ଦିନ ୧୧ଟା ସମୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସାଇରସଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ପାର୍ସୀ ପରମ୍ପରା ଅନୁସାରେ ତାଙ୍କର ଦାହସଂସ୍କାର ହେବ ।

ସୂଚନାଯୋଗ୍ୟ ଯେ ରବିବାର ଅପରାହ୍ଣ ୩ଟା ୧୫ ମିନିଟ୍ ସମୟରେ ମୁମ୍ବାଇ ଅହମ୍ମଦାବାଦ ରାସ୍ତାରେ ଥିବା ପାଲଘର ଜିଲ୍ଲାରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ସାଇରସଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ମର୍ସିଡିଜ କାରକୁ ମୁମ୍ବାଇର ବିଶିଷ୍ଠ ପ୍ରସୂତି ବିଶେଷଜ୍ଞ ଡ.ଅନାହିତା ପାଣ୍ଡୋଲେ (୫୫) ଚଳାଉଥିଲେ । କାରରେ ବସିଥିଲେ ତାଙ୍କ ସ୍ବାମୀ ଡାରିଅସ ପାଣ୍ଡୋଲେ (୬୦) । ପଛ ସିଟରେ ବସିଥିଲେ ଡାରିଅସଙ୍କ ଭାଇ ଜାହାଙ୍ଗୀର ପାଣ୍ଡୋଲେ ଓ ସାଇରସ ମିସ୍ତ୍ରୀ । ଏହି ଦୁର୍ଘଟଣାରେ ଜାହାଙ୍ଗୀର ଓ ସାଇରସଙ୍କ ମୃତ୍ୟୁ ହୋଇଥିଲା ।

ମହାରାଷ୍ଟ୍ର ଗୃହମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେଉଁ କାରଣ ପାଇଁ ଏହି ଦୁର୍ଘଟଣା ଘଟିଲା ତାହାର ସବିଶେଷ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର