ପୁନେ : ସାମ୍ବାଦିକ ଗୌରୀ ଲଙ୍କେଶ୍ ଏବଂ ସମାଜସେବୀ ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ଘଟଣା ମଧ୍ୟରେ ଲିଙ୍କ୍ ରହିଛି। ଉଭୟଙ୍କୁ ଗୋଟିଏ ବନ୍ଧୁକରେ ହତ୍ୟା କରାଯାଇଛି। ଏକ ମହତ୍ତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପୁନେସ୍ଥିତ ଏକ କୋର୍ଟଙ୍କୁ ଏଭଳି ସୂଚନା ଦେଇଛି। ଡାଭୋଲକରଙ୍କ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ସଚିନ୍ ଆନ୍ଦୁରେର ହାଜତ ମିଆଦ ବୃଦ୍ଧି ପାଇଁ ଆବେଦନ ସମୟରେ ସିବିଆଇ କହିଛି ଯେ ଗୌରୀ ଲଙ୍କେଶ୍ଙ୍କ ହତ୍ୟା ଘଟଣାରେ ଗିରଫ ହୋଇଥିବା ଆରୋପୀଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ୭.୬୫ ଏମ୍ଏମ୍ର ଏକ ଦେଶୀ ବନ୍ଧୁକ ଏବଂ ତିନିଟି ଗୁଳି ଆନ୍ଦୁରେକୁ ପ୍ରଦାନ କରିଥିଲା। ଏହାପରେ ଆନ୍ଦୁରେ ଉକ୍ତ ବନ୍ଧୁକ ଓ ଗୁଳିକୁ ନିଜେ ନ ରଖି ତା’ର ଶାଳକ ଶୁଭମ୍ ସୁରଲେକୁ ଦେଇଥିଲା। ଉଲ୍ଲେଖଯୋଗ୍ୟ, ୨୦୧୩ ଅଗଷ୍ଟରେ ପ୍ରାତଃ ଭ୍ରମଣ ବେଳେ ଡାଭୋଲକରଙ୍କୁ ହତ୍ୟା କରାଯାଇଥିଲା। ଏହାର ୪ ବର୍ଷ ପରେ ୨୦୧୭ ସେପ୍ଟେମ୍ବରରେ ବେଙ୍ଗାଲୁରୁରେ ଗୌରୀ ଲଙ୍କେଶଙ୍କୁ ତାଙ୍କ ବାସଭବନ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା। ତେବେ ସିବିଆଇ ଦର୍ଶାଇଛି ଯେ ଗୋଟିଏ ବନ୍ଧୁକରେ ଉଭୟଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଏ ନେଇ ଏବେଠୁ ସ୍ପଷ୍ଟ ହୋଇନାହିଁ।
ଗୋଟିଏ ବନ୍ଧୁକରେ ଡାଭୋଲକର, ଗୌରୀଙ୍କ ହତ୍ୟା: ସିବିଆଇ
/sambad/media/post_attachments/wp-content/uploads/2018/08/dabholkar-lankesh-759.jpg)