ତିନିସେନା ପାଇଁ ୨୮ ହଜାର କୋଟିର ସାମଗ୍ରୀ କିଣାଯିବ, ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରାଳୟର ମଂଜୁରୀ
ନୂଆଦିଲ୍ଲୀ : ଦେଶର ତିନିସେନା ପାଇଁ ପ୍ରାୟ ୨୮ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ ଖରିଦ କରିବାକୁ କେନ୍ଦ୍ର ସରକାର ସବୁଜ ସଂକେତ ଦେଇଛନ୍ତି । ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ସରକାରଙ୍କ ଏହି ନିଷ୍ପତ୍ତି ବେଶ ଗୁରୁତ୍ବ ବହନ କରୁଛି ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଖରିଦ ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ୨୮ ହଜାର କୋଟି ମଧ୍ୟରୁ ପ୍ରାୟ ୨୭ ହଜାର କୋଟିର ସାମଗ୍ରୀ ଘରୋଇ ବଜାରରୁ ଖରିଦ କରାଯିବ । ମେକ ଇନ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଯୋଜନାକୁ ସୁଦୃଢ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଖରିଦ କରାଯିବାକୁ ଥିବା ସାମଗ୍ରୀ ମଧ୍ୟରେ ରହିଛି ଭାରତୀୟ ବାୟୁସେନା ପାଇଁ ଡିଆରଡିଓ ନିର୍ମିତ ଏୟାରବୋର୍ନ ଆର୍ଲି ଓ୍ବାର୍ଣ୍ଣିଂ ଏଣ୍ଡ କଣ୍ଟ୍ରୋଲ ସିଷ୍ଟମ, ନୌସେନା ପାଇଁ ସାମୁଦ୍ରିକ ପ୍ରହରା ଜାହାଜ,ଭାରତୀୟ ସେନା ପାଇଁ ମଡୁଲାର ବ୍ରିଜ ।