୯୧୦୦ କୋଟିର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ମଂଜୁରୀ

ନୂଆଦିଲ୍ଲୀ: ଦେଶର ସେନାକୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବାକୁ ସରକାର ଆଜି ପ୍ରାୟ ୯୧୦୦ କୋଟିର କ୍ରୟ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଥିବା ରକ୍ଷା କ୍ରୟ ପରିଷଦ ପକ୍ଷରୁ ଏହି ପ୍ରତିରକ୍ଷା ସାମଗ୍ରୀ କ୍ରୟକୁ ମଂଜୁର କରାଯାଇଛି । ଏହି ପ୍ରସ୍ତାବରେ ରହିଛି ୨ଟି ରେଜିମେଣ୍ଟ ଆକାଶା ମିସାଇଲ ସିଷ୍ଟମ । ଏଗୁଡିକ ପୂର୍ବରୁ କ୍ରୟ କରାଯାଇଥିବା ଆକାଶ ମିସାଇଲ ସିଷ୍ଟମର ଉନ୍ନୀତ ସଂସ୍କରଣ । ଏଗୁଡ଼ିକ ଭାରତ ଡାଇନାମିକ୍ସ ଲିମିଟେଡରୁ ଖରିଦ କରାଯିବ । ସେହିପରି ଟି-୨୦ ଟ୍ୟାଙ୍କମାନଙ୍କ ପାଇଁ ଅଣ୍ଡରଓ୍ଵାଟର ବ୍ରେଦିଂ ସିଷ୍ଟମ ଡିଆରଡିଓଠାରୁ କିଣାଯିବ । ଏହା ଛଡା ଟି-୨୦ ଟ୍ୟାଙ୍କ ପାଇଁ ଗାଇଡେଡ ମିସାଇଲ ସିଷ୍ଟମ ମଧ୍ୟ ଖରିଦ କରାଯିବାକୁ ଅନୁମତି ଦିଆଯାଇଛି । ଗତ ଅଗଷ୍ଟ ମାସରେ ପ୍ରତିରକ୍ଷା କ୍ରୟ ପରିଷଦ (ଡିଏସି) ପ୍ରାୟ ୪୬ ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଇଥିଲା । କିଣାହେବାକୁ ଥିବା ସାମଗ୍ରୀ ମଧ୍ୟରେ ରହିଛି ଭାରତୀୟ ନୌସେନା ପାଇଁ ୧୧୧ଟି ୟୁଟିଲିଟି ହେଲିକାପ୍ଟର । ଏଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୨୧ ହଜାର କୋଟି ଟଙ୍କା । ଅନ୍ୟପକ୍ଷରେ ଭାରତୀୟ ସେନା ପାଇଁ ମୋଟ ୩୩୬୪ କୋଟି ଟଙ୍କା ମୂଲ୍ୟର ୧୫୦ଟି ୧୫୫ ଏମଏମ ଆଡଭାନ୍ସଡ ଟାଓ୍ଵାରଡ ଆର୍ଟିଲାରୀ ଗନ, ୨୪ଟି ଆଣ୍ଟି ସବମେରିନ ମଲଟି ରୋଲ ହେଲିକାପ୍ଟର, ୧୪ଟି ସର୍ଟ ରେଞ୍ଜ ମିସାଇଲ ସିଷ୍ଟମ ମଧ୍ୟ ଖରିଦ କରାଯିବ ।

ସମ୍ବନ୍ଧିତ ଖବର