ତିନିବାହିନୀ ପାଇଁ ୭୬ ହଜାର କୋଟିର ପ୍ରକଳ୍ପକୁ ମଂଜୁରୀ

ନୂଆଦିଲ୍ଲୀ : ଭାରତୀୟ ସାମରିକ ବାହିନୀର ଆଧୁନିକୀକରଣ ପାଇଁ ୭୬ ହଜାର ୩୯୦ କୋଟି ଟଙ୍କାର ପ୍ରକଳ୍ପକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି । ସୋମବାରଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏସବୁ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇ ଏସବୁ ପ୍ରକଳ୍ପ ଭାରତୀୟ କମ୍ପାନିମାନଙ୍କ ଦ୍ବାରା ହିଁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ୭୬ ହଜାର କୋଟିର ଏକ ବଡ଼ ଭାଗ ଭାରତୀୟ ନୌସେନାକୁ ଯିବ । ଭାରତୀୟ ନୌସେନା ପାଇଁ ପ୍ରାୟ ୩୬ ହଜାର କୋଟି ମୂଲ୍ୟରେ ନେକ୍ସ ଜେନେରେସନ କରଭେଟ୍ (ଏନଜିସି) ଖରିଦ କରାଯିବ । କରଭେଟ ହେଉଛି ଏକ ପ୍ରକାରର ଛୋଟ ମାତ୍ର ଅତ୍ୟାଧୁନିକ ଯୁଦ୍ଧ ଜାହାଜ । ଏହା ଦ୍ବାରା ଭାରତୀୟ ନୌସେନାର ମାରକ,ପ୍ରହରା ଓ ଉପକୂଳ ସୁରକ୍ଷା କ୍ଷମତା ବୃଦ୍ଧି ପାଇବ । ସେହିପରି ଭାରତୀୟ ସେନା ପାଇଁ ପାର୍ବତ୍ୟ ଅଂଚଳରେ ଚାଲିପାରୁଥିବା ଟ୍ରକ ଓ ଅନ୍ୟାନ୍ୟ ଯୁଦ୍ଧଯାନ, ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ, ଅସ୍ତ୍ର ଚିହ୍ନଟକାରୀ ରାଡାର ଆଦି ଖରିଦ କରାଯିବ । ଅନ୍ୟପକ୍ଷରେ ହାଲ ପକ୍ଷରୁ ବାୟୁସେନା ପାଇଁ ଡୋର୍ନିଅର ବିମାନ ଓ ସୁଖୋଇ-୩୦ ଏମକେଆଇ ବିମାନ ନିର୍ମାଣ କରାଯିବ । ଆଜିର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଡିଜିଟାଲ କୋଷ୍ଟଗାର୍ଡ ପ୍ରକଳ୍ପକୁ ମଧ୍ୟ ମଂଜୁରୀ ଦିଆଯାଇଛି ।

 

 

ସମ୍ବନ୍ଧିତ ଖବର