ଲକ୍ଷ୍ନୌ: ସୋମବାର ପ୍ରତ୍ୟୁଷରେ ଉତ୍ତର ପ୍ରଦେଶର ଚିତ୍ରକୂଟ ଠାରେ ଚେନ୍ନାଇ-ପାଟନା ଏକ୍ସପ୍ରେସ୍ରେ ସଶସ୍ତ୍ର ଡକାୟତମାନେ ପଶି ଅନେକ ଯାତ୍ରୀଙ୍କ ଠାରୁ ଗହଣା ଓ ନଗଦ ଟଙ୍କା ଲୁଟ୍ କରି ନେଇଥିବା କଥା ପୁଲିସ କହିଛି।
ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ବିହାରର ପାଟନା ଦେଇ ଯିବା ବେଳେ ଗଙ୍ଗା-କାବେରୀ ଏକ୍ସପ୍ରେସ୍ର କୋଚ୍ ମଧ୍ୟକୁ ଡକାୟତମାନେ ବଳପୂର୍ବକ ପ୍ରବେଶ କରିଥିଲେ। ସେମାନଙ୍କ ଆକ୍ରମଣରେ ଡଜନାଧିକ ଯାତ୍ରୀ ଆହତ ହୋଇଛନ୍ତି।
ମାଣିକପୁର ଷ୍ଟେସନ୍ ଛାଡ଼ି ଆହ୍ଲାବାଦ ଆଡ଼କୁ ମୁହାଁଇବା ପରେ ରେଳଧାରଣା ଅବରୋଧ କରି ଡକାୟତମାନେ ଟ୍ରେନ୍ ଅଟକାଇଥିଲେ।
ପହ୍ନାଇ ରେଳ ଷ୍ଟେସନ୍ ଠାରେ ଡକାୟତମାନେ ସିଗ୍ନାଲ୍ ଦେଇ ଦୁଇଟି କୋଚ୍ ମଧ୍ୟକୁ ପ୍ରବେଶ କରି ଶୋଇଥିବା ଯାତ୍ରୀମାନଙ୍କୁ ଧମକ ଦେଇଥିଲେ।
୧୨ ଜଣରୁ ଅଧିକ ସଶସ୍ତ୍ର ଲୋକ ଦୁଇଟି ସ୍ଲିପର୍-କ୍ଲାସ୍ ବଗିରେ ଗ୍ଲାସ୍ ପେନ୍ ଭାଙ୍ଗି ଯାତ୍ରୀମାନଙ୍କୁ ମାଡ଼ ମାରିଥିଲେ। ଘଣ୍ଟାଏ କାଳ ଡକାୟତମାନଙ୍କ ଆକ୍ରମଣ ଚାଲୁ ରହିଥିଲା। କେହି ୧୦୦ ଡାଏଲ୍ କରିବା ପରେ ପୁଲିସ ପହଞ୍ଚିଥିଲା।
ଚିତ୍ରକୂଟର ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଡେପୁଟି ଇନ୍ପେକ୍ଟର୍ ଜେନେରାଲ୍ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ। ତଲାସ ଅଭିଯାନ ଚାଲୁ ରହିଛି। ଏହା ବାବୁଲି କୋଲ୍ ଡକାୟତ ଦଳର କାମ ବୋଲି ସନ୍ଦେହ କରାଯାଉଛି। କୋଲ୍କୁ ଧରାଇବା ପାଇଁ ସରକାର ସାଢ଼େ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।
ଘଟଣା ଘଟିବାର ପ୍ରାୟ ୨ ଘଣ୍ଟା ପରେ ଟ୍ରେନ୍ ଆହ୍ଲାବାଦ ଅଭିମୁଖେ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/gke.jpg)