ଦାଦନ ବସ୍‌ ରାଜନୀତି! ଯୋଗୀ ବନାମ ପ୍ରିୟଙ୍କା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦାଦନ ଶ୍ରମିକମାନଙ୍କ ଲେଉଟାଣି ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ତାଙ୍କ ପାର୍ଟି ପକ୍ଷରୁ ବସ୍ ଯୋଗାଇ ଦେବାକୁ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ ନେଇ ଜୋରଦାର ରାଜନୀତି ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମେ ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହିତ ଏହି ବସଗୁଡ଼ିକର ପଞ୍ଜୀକରଣ ନମ୍ବର ଦେବାକୁ କହିଥିଲେ। କଂଗ୍ରେସ ପକ୍ଷରୁ ଏହାର ନମ୍ବର ଦିଆଯିବା ପରେ ନୂଆ ବିବାଦ ଆରମ୍ଭ ହୋଇଯାଇଛି। ୟୁପି ସରକାର ପକ୍ଷରୁ କୁହାଯାଇଛି ଯେ ବସଗୁଡ଼ିଗର ଯେଉଁ ନମ୍ବର ଦିଆଯାଇଛି ସେଗୁଡ଼ିକ ପ୍ରକୃତରେ ହେଉଛି ଦୁଇ ଚକିଆ ଏବଂ ତିନି ଚକିଆ ଗାଡ଼ିର ନମ୍ବର। କଂଗ୍ରେସ ଜାଲିଆତି କରୁଥିବାର ଅଭିଯୋଗ କରିବା ‌ପରେ କଂଗ୍ରେସ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ବିପର୍ଯ୍ୟୟ ସମୟରେ ରାଜନୀତି ନକରିବା ଲାଗି ପ୍ରିୟଙ୍କା ଅନୁରୋଧ କରିଛନ୍ତି।

ଏ ପ୍ରସଙ୍ଗରେ ୟୁପିର ଜଣେ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ କହିଛନ୍ତି ଯେ କଂଗ୍ରେସର କୌଣସି ଅନୁକମ୍ପା ନାହିଁ, ଏହା କେବଳ ରାଜନୀତୀ। ଯେଉଁଗୁଡ଼ିକୁ ବସ୍‌ ବୋଲି ଦର୍ଶାଯାଇଛି, ପ୍ରାଥମିକ ଯାଞ୍ଚରୁ ସେଗୁଡ଼ିକ ସ୍କୁଟର, ତିନିଚକିଆ ବା ମାଲବାହୀ ଗାଡ଼ି ବୋଲି ଜଣାପଡ଼ିଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଅଟକିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଆଣିବା ପାଇଁ କଂଗ୍ରେସର ୫୦୦ ବସ୍‌ ସାହିବାବାଦ୍‌କୁ ଏବଂ ଆଉ ୫୦୦ ବସ୍‌ ଗାଜିଆବାଦ୍‌କୁ ପଠାଇବା ପାଇଁ କହିଛନ୍ତି। କଂଗ୍ରେସକୁ ଏକଥା ରାଜ୍ୟ ଗୃହ ବିଭାଗ ଜଣାଇଦେଇଛି ଏବଂ ବସ୍‌ଗୁଡ଼ିକ ମଙ୍ଗଳବାର ଦିନ ୧୨ଟା ସୁଦ୍ଧା ପହଞ୍ଚାଇବାର ବନ୍ଦୋବସ୍ତ କରିବାକୁ କହିଛନ୍ତି। ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ପାଖକୁ ପ୍ରିୟଙ୍କା ଏକ ବେଦନାଭରା ପ୍ରସ୍ତାବମୂଳକ ଚିଠି ଲେଖିବା ପରେ ଯୋଗୀ ବସ୍ ପାଇଁ ରାଜି ହୋଇଥିଲେ। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରିୟଙ୍କା କହିଥିଲେ ଯେ ଏଭଳି ସଙ୍କଟ ସମୟରେ ଆମେମାନେ ରାଜନୀତି ଭୁଲିଯାଇ ଲୋକମାନଙ୍କୁ ସାହାଯ୍ୟ କରିବା ଉଚିତ। ସରକାର ଓ ବିରୋଧୀ ଦଳ ମିଳିତ ଭାବେ ଏହି କାମ କରିବାକୁ ଯାଉଥିବାରୁ ଏହାକୁ ‌େସ ଐତିହାସିକ ମୁହୂର୍ତ ବୋଲି କହିଥିଲେ।

ସମ୍ବନ୍ଧିତ ଖବର