ନୂଆଦିଲ୍ଲୀ: ଦେଶବ୍ୟାପୀ ବ୍ୟାପକ ଟିକାକରଣ ଏବଂ କଡ଼ା କଟକଣା ସତ୍ତ୍ବେ ମହାମାରୀ ସଙ୍କଟ ଥମିବାର ନାମ ନେଉନାହିଁ। ପ୍ରତିଦିନ କରୋନା ନୂଆ ରେକର୍ଡ ସୃଷ୍ଟି କରୁଛି ଏବଂ ବିଗତ ୨୪ ଘଣ୍ଟା ମଧ୍ୟରେ ୨୦୨୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହା ଆଜି ପର୍ଯ୍ୟନ୍ତ ଦେଶର ସର୍ବାଧିକ କରୋନା ମୃତ୍ୟୁ ହୋଇଥିବା ବେଳେ ଦିନକରେ ୨୯୫,୦୪୧ଟି ନୂଆ ସଂକ୍ରମଣ ମାମଲା ଆସିଛି। ତେବେ ୧,୬୭,୪୫୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୧୬ ହଜାର ୧୩୦ ଥିବା ବେଳେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୩୨ ଲକ୍ଷ ୭୬ ହଜାର ରହିଛି। ମୋଟ୍ ସକ୍ରିୟ ମାମଲା ୨୧ ଲକ୍ଷ ୫୭ ହଜାର ୫୩୮ ରହିଛି ଏବଂ ମୋଟ୍ ମୃତ୍ୟୁ ୧ ଲକ୍ଷ ୮୨ ହଜାର ୫୫୩ରେ ପହଞ୍ଚିଛି। ଦେଶରେ ଆଜି ସୁଦ୍ଧା ୧୩ କୋଟି ୧ ଲକ୍ଷରୁ ଅଧିକ କରୋନା ଟିକା ପ୍ରଦାନ କରାଯାଇଛି।
ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ୬୨,୦୯୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୫୧୯ ଜଣଙ୍କ ମୃତ୍ୟୁ ଘଟିଛି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥବାରୁ ଆଜି ସରକାର କଟକଣା ଅଧିକ କଠୋର କରିଛନ୍ତି । ସରକାରୀ ଓ ଘରୋଇ ଦପ୍ତରରେ ମାତ୍ର ୧୫ ପ୍ରତିଶତ କର୍ମଚାରୀରେ କାମ କରିବାକୁ କୁହାଯାଇଛି। ରାଜ୍ୟବ୍ୟାପୀ ଧାରା ୧୪୪ ବଳବତ୍ତର ରହିବ ଏବଂ ଲକ୍ଡାଉନ୍ ସଫଳ କରିବାକୁ ଜନସାଧାରଣ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ନିବେଦନ କରିଛନ୍ତି।
ନୂଆଦିଲ୍ଲୀ: କରୋନା ସଙ୍କଟ ଏବେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ ଏବଂ ଦିଲ୍ଲୀରେ ଅତି ସାଂଘାତିକ ରୂପ ନେଇଛି। ଗୋଟିଏ ପରେ ଗୋଟିଏ ରାଜ୍ୟରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ତେବେ ମୃତ୍ୟୁ ହାର କାମ୍ ରହିବା ସବୁଠାରୁ ବଡ଼ ଆଶ୍ବସ୍ତିର କାରଣ ହୋଇଛି ଏବଂ ଦେଶର ୩୦୮ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦେଶରେ ମୋଟ୍ ୧୪୬ ଜିଲ୍ଲାରେ କରୋନା ସ୍ଥିତି ଚିନ୍ତାଜନକ ରହିଛି ଏବଂ ପରିସ୍ଥିତି ସୁଧାରିବାକୁ ଯୁଦ୍ଧସ୍ତରରେ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।
ଦେଶର ୧୪୬ ଜିଲ୍ଲାରେ ପଜିଟିଭ୍ ହାର ୧୫ ପ୍ରତିଶତରୁ ଅଧିକ ରହିବା ଘୋର ଉଦ୍ବେଗର କାରଣ ହୋଇଛି। ଗତ ବର୍ଷ ପ୍ରଥମ ଲହର ସମୟରେ ସକ୍ରିୟ ରୋଗୀଙ୍କ ତୁଳନାରେ ଏଥର ଦୁଇ ଗୁଣ ସକ୍ରିୟ ରୋଗୀ ଅଛନ୍ତି। ଏବେ ୪ ଦିନ ହେଲା ଦୈନିକ ସଂକ୍ରମଣ ୨ ଲକ୍ଷରୁ ଅଧିକ ରହୁଥିବା ଏବଂ ଆଜି ଦୈନିକ ସଂକ୍ରମଣ ପ୍ରାୟ ୩ ଲକ୍ଷରେ ପହଞ୍ଚିଥିବାରୁ ଜନସାଧାରଣ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ଅକ୍ସିଜେନ୍ ଯୋଗାଣ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୬,୬୦୦ ମେଟ୍ରିକ୍ ଟନ୍ ରାଜ୍ୟମାନଙ୍କୁ ଦିଆଯାଇଛି। ବିଭିନ୍ନ ଶିଳ୍ପ ସଂସ୍ଥାମାନଙ୍କୁ ଅକ୍ସିଜେନ୍ ଯୋଗାଣ ବନ୍ଦ ରହିଛି। ବିଗତ ୨୪ ଘଣ୍ଟାରେ ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି ଏବଂ ଆଗାମୀ ୧ ତାରିଖରୁ ସମସ୍ତ ସାବାଳକଙ୍କ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏବେ ମହାରାଷ୍ଟ୍ର, ୟୁପି, କର୍ଣ୍ଣାଟକ, ଛତିଶଗଡ଼ ଏବଂ କେରଳରେ ସକ୍ରିୟ ମାମଲା ୧ ଲକ୍ଷରୁ ଅଧିକ ରହିଛି। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ପ୍ରତିଦିନ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/hgd48g7adg5a4g56da4g56ad41g31dag32daggdagaddgaadg.jpg)