ଦେଶରେ ଦୈନିକ ମୃତ୍ୟୁ ୨ ହଜାର ତଳେ, ସକ୍ରିୟ ମାମଲା ୮ ଲକ୍ଷରୁ କମ୍‌

ନୂଆଦିଲ୍ଲୀ : ଦୀର୍ଘ ୨ ମାସ ପରେ ଦେଶରେ କରୋନା ମୃତ୍ୟୁ ୨ ହଜାର ତଳେ ରହିଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୮୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ୬୦ ଦିନରେ ଏହା ଦେଶରେ ସବୁଠୁ କମ୍‌ ମୃତ୍ୟୁ। ଏପ୍ରିଲ ୨୮ରେ ଦେଶରେ କ‌ରୋନା ମୃତ୍ୟୁ ୩ ହଜାର ସଂଖ୍ୟା ଟପିଥିଲା ଏବଂ ମେ’ ୮ ତାରିଖରେ କରୋନା ମୃତ୍ୟୁ ୪ ହଜାରରୁ ଅଧିକ ରହିଥିଲା।

ଦ୍ବିତୀୟ ଲହର ଦୁର୍ବଳ ହୋଇଥିବାବେଳେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା କମୁଛି। ଗତ ୨୪ ଘଣ୍ଟାରେ ଦେଶରେ ୬୨,୪୮୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨୯,୭୬୨,୭୯୩ରେ ପହଞ୍ଚିଛି। ଲଗାତାର ୧୧ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୧ ଲକ୍ଷରୁ କମ୍‌ ରହୁଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୩,୮୩,୪୯୦ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ୭୩ ଦିନ ପରେ ୮ ଲକ୍ଷ ତଳେ ରହିଛି। ମୋଟ୍‌ ସକ୍ରିୟ ମାମଲା ଏବେ ୭,୯୮,୬୫୬ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୮୮,୯୭୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦୈନିକ ପଜିଟିଭ୍‌ ହାର ୩.୨୪ ପ୍ରତିଶତ ରହିଛି। ୧୧ ଦିନ ଧରି ଦୈନିକ ପଜିଟିଭ୍‌ ହାର ୫ ପ୍ରତିଶତ ତଳେ ରହୁଛି।

ଜୁନ୍‌ରେ ୫୦ ହଜାରରୁ ଅଧିକ ମୃତ୍ୟୁ, ୩୭% ପୁରୁଣା ମାମଲା ସାମିଲ
ନୂଆଦିଲ୍ଲୀ : ମେ’ ମଧ୍ୟଭାଗରୁ ଦେଶରେ ଦ୍ବିତୀୟ ଲହର ଦୁର୍ବଳ ହୋଇଥିଲେ ସୁଦ୍ଧା ଜୁନ୍‌ ମାସର ପ୍ରଥମ ୧୬ ଦିନରେ ଦେଶରେ ୫୦ ହଜାରରୁ ଅଧିକ କରୋନା ମୃତ୍ୟୁ ରିପୋର୍ଟ କରାଯାଇଛି। ମେ’ ମାସର କରୋନା ମୃତ୍ୟୁ ତୁଳନାରେ ଚଳିତ ମାସ ଅଧାରେ ରିପୋର୍ଟ ହୋଇଥିବା ମୃତ୍ୟୁସଂଖ୍ୟା ଦ୍ବିତୀୟ ସର୍ବାଧିକ ବୋଲି କୁହାଯାଉଛି। ତେବେ ଜୁନ୍‌ ମାସର କରୋନା ମୃତ୍ୟୁ ସାମାନ୍ୟ ଜଟିଳ ରହିଛି। ଗୁରୁବାର ମୃତ୍ୟୁସଂଖ୍ୟାକୁ ମିଶାଇଲେ ଜୁନ୍ ମାସରେ ମୋଟ୍‌ ୧୭ ଦିନରେ ୫୨,୫୩୮ କରୋନା ମୃତ୍ୟୁ ହୋଇଛି। ତେବେ ଏଥିମଧ୍ୟରୁ ୧୯,୩୨୯ ତଥା ୩୭ ପ୍ରତିଶତ କରୋନା ମୃତ୍ୟୁ ମାମଲା ପୂର୍ବରୁ ହୋଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ ଅଧିକାଂଶ ମୃତ୍ୟୁ ଏପ୍ରିଲ ଏବଂ ମେ’ରେ ହୋଇଥିଲା। ଏବେ ଏହାକୁ ଜୁନ୍‌ ମାସର ତଥ୍ୟରେ ସାମିଲ କରାଯାଇଛି। ସରକାରୀ ରେକର୍ଡରେ ମେ’ ମାସର କରୋନା ମୃତ୍ୟୁ ୧,୧୯,୦୦୦କୁ ଦେଶରେ ସର୍ବାଧିକ କୁହାଯାଉଛି। ଏପ୍ରିଲ୍‌ରେ ୪୮,୭୦୦ କରୋନା ମୃତ୍ୟୁ ହୋଇଥିଲା। ତେବେ ପୁରୁଣା ତଥ୍ୟକୁ ପୁଣି ମିଶାଇଲେ ଏହି ୨ଟି ମାସରେ କରୋନା ମୃତ୍ୟୁସଂଖ୍ୟା ଆହୁରି ଅଧିକ ରହିବ। ମହାରାଷ୍ଟ୍ରରେ ଏଯାବତ୍‌ ସର୍ବାଧିକ ପୁରୁଣା କୋଭିଡ୍‌ ମୃତ୍ୟୁ ଚିହ୍ନଟ ହୋଇଛି। କେବଳ ଜୁନ୍‌ ମାସ‌ରେ ମହାରାଷ୍ଟ୍ରରେ ଏହି ସଂଖ୍ୟା ୧୧,୪୨୭ ଥିବା ବେଳେ ବିହାରରେ ୩,୯୫୧ ମୃତ୍ୟୁକୁ ପରେ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର