ଲଗାତାର ୪ ଦିନ ଧରି ଦେଶରେ ସଂକ୍ରମଣ ୨ ହଜାର ଉପରେ, ଦିଲ୍ଲୀରେ ଆର୍‌ ଭାଲ୍ୟୁ ୨ ଉପରେ

ନୂଆଦିଲ୍ଲୀ: ଦେଶରେ ଆଜି ପୁଣିଥରେ ଦୈନିକ କୋଭିଡ୍‌ ସଂକ୍ରମଣ ମାମଲା ୨ ହଜାର ଉପରେ ରହିଛି। ଲଗାତାର ୪ ଦିନ ଧରି ଦେଶରେ ସଂକ୍ରମଣ ୨ ହଜାର ଉପରେ ରହୁଛି। ଦେଶରେ ଆଜି ୨,୫୨୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୪ ଘଣ୍ଟାରେ ୩୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୫୪,୯୫୨ରେ ପହଞ୍ଚିଛି। ଅନ୍ୟପକ୍ଷେ କରୋନା ମୃତ୍ୟୁସଂଖ୍ୟା ୫,୨୨,୧୪୯କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ୧୫,୦୭୯ ରହିଛି ଏବଂ ଗତ ୨୪ ଘଣ୍ଟା‌ରେ ୧୬୫୬ ଜଣ କରୋନାରୁ ସୁସ୍ଥ ହେବା ସହ ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୪,୨୫,୧୭,୭୨୪କୁ ବୃଦ୍ଧି ପାଇଛି। ‌ଦେଶରେ ଦୈନିକ ପଜିଟିଭ୍‌ ହାର ୦.୫୬ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୦.୫୦ ପ୍ରତିଶତ ରହିଛି । ଦେଶରେ ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୩ ପ୍ରତିଶତ। ଗତ ୨୪ ଘଣ୍ଟାରେ ୪,୫୫,୧୭୯ କରୋନା ଟେଷ୍ଟ୍‌ କରାଯାଇଛି। ଦେଶରେ ମୋଟ୍‌ ଟିକାକରଣ ୧୮୭.୪୬ କୋଟି ଟପିଯାଇଛି। ଗତ ୨୪ ଘଣ୍ଟା‌ରେ ୧୯,୧୩,୨୯୬ କୋଭିଡ୍‌ ଟିକା ଡୋଜ୍‌ ଦିଆଯାଇଛି।

ଦିଲ୍ଲୀରେ ଆର୍‌ ଭାଲ୍ୟୁ ୨ ଉପରେ
ନୂଆଦିଲ୍ଲୀ: ଦିଲ୍ଲୀରେ ସଂକ୍ରମଣ ବଢ଼ିବା ସହ ଆର୍‌ ଭାଲ୍ୟୁ ୨ ଉପରେ ରହିଛି। ଚଳିତ ସପ୍ତାହରେ ଦିଲ୍ଲୀରେ ଆର୍‌ ଭାଲ୍ୟୁ ୨.୧ ରହିଛି। ଏହାର ଅର୍ଥ ଦିଲ୍ଲୀରେ ପ୍ରତି ସଂକ୍ରମିତ ବ୍ୟକ୍ତି ଅନ୍ୟ ୨ ଜଣଙ୍କୁ ସଂକ୍ରମିତ କରୁଛନ୍ତି। ଆଇଆଇଟି-ମାଡ୍ରାସ୍‌ ଆକଳନରୁ ଏହା ଜଣାପଡ଼ିଛି। ଅନ୍ୟପକ୍ଷେ ଦେଶରେ ଆର୍‌ ଭାଲ୍ୟୁ ଏବେ ୧.୩ ରହିଛି। ଦିଲ୍ଲୀରେ ଚତୁର୍ଥ ଲହର ଆରମ୍ଭ ହୋଇଛି କି ବୋଲି ପ୍ରଶ୍ନ ଉଠିଛି। କିନ୍ତୁ ଆଇଆଇଟି ମାଡ୍ରାସ୍‌ର ଗଣିତ ବିଭାଗ ଆସିଷ୍ଟାଣ୍ଟ୍‌ ପ୍ରଫେସର ଡାକ୍ତର ଜୟନ୍ତ ଝା କହିଛନ୍ତି, ଅନ୍ୟ ଏକ ଲହର ଆସିଛି ବୋଲି ଏତେ ଶୀଘ୍ର କହିହେବନି। ଦିଲ୍ଲୀରେ ଗତ ୩ ଦିନ ଧରି ଦୈନିକ ସଂକ୍ରମଣ ହଜାରେ ଉପରେ ରହିଛି। ଶୁକ୍ରବାର ଦିନ ଦିଲ୍ଲୀରେ ସଂକ୍ରମଣ ମାମଲା ୧୦୪୨ ଥିଲା। ଅନ୍ୟପ‌କ୍ଷେ ପଜିଟିଭ୍‌ ହାର ୪.୬୪ ରହିଛି। ଦିଲ୍ଲୀରେ ଆଜି ପୁଣି ୧୦୯୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।

ସମ୍ବନ୍ଧିତ ଖବର