ଦୈନିକ ସଂକ୍ରମଣ ଲକ୍ଷେମୁହାଁ, ଧାରାବୀରେ ପୁଣି ବଢ଼ିଲା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ୪୬ ଲକ୍ଷ ଟପିଯାଇଛି। ଦେଶରେ ଏବେ ଦୈନିକ କରୋନା ସଂକ୍ରମଣ ଲକ୍ଷେମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୯୭ ହଜାର ୫୭୦ କରୋନା ସଂକ୍ରମଣ ମାମଲା ଦେଶରେ ଚିହ୍ନଟ ହୋଇଥିବାବେଳେ ୧୨୦୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏଥିସହ ଭାରତରେ ମୋଟ୍‌ ସଂକ୍ରମଣ ମାମଲା ୪୬ ଲକ୍ଷ ୫୯ ହଜାର ୯୮୪ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୭୭ ହଜାର ୪୭୨କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଆଜି ସୁଦ୍ଧା ୩୬ ଲକ୍ଷ ୨୪ ହଜାର ୧୯୬ ଜଣ କରୋନାରୁ ସୁସ୍ଥ ହେଲେଣି। ଫଳରେ ଆରୋଗ୍ୟ ହାର ୭୭.୭୭ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁହାର ୧.୬୬ ପ୍ରତିଶତକୁ କମିଯାଇଛି। ଦେଶରେ ଏବେ ୯ ଲକ୍ଷ ୫୮ ହଜାର ୩୧୬ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୨୦.୫୬ ପ୍ରତିଶତ। ଗତ ଅଗଷ୍ଟ ୭ ତାରିଖରେ ଦେଶରେ ସଂକ୍ରମଣ ୨୦ ଲକ୍ଷ ଟପିଥିଲା। ଏହାପରେ ଅଗ‌ଷ୍ଟ ୨୩ରେ ୩୦ ଲକ୍ଷ ଏବଂ ସେପ୍ଟେମ୍ବର ୫ରେ ସଂକ୍ରମଣ ୪୦ ଲକ୍ଷ ଟପିଥିଲା। ଆଇସିଏମ୍‌ଆର ଅନୁଯାୟୀ ସେପ୍ଟେମ୍ବର ୧୦ ସୁଦ୍ଧା ଦେଶରେ ୫ କୋଟି ୪୦ ଲକ୍ଷ ୯୭ ହଜାର ୯୭୫ ନମୁନା ପରୀକ୍ଷା ହୋଇଛି। ଗତକାଲି ୧୧ ଲକ୍ଷ ୬୩ ହଜାର ୫୪୨ ନମୁନା ପରୀକ୍ଷା ହୋଇଛି।

ଗତକାଲି ସର୍ବାଧିକ ୮୧ ହଜାର ୫୩୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୦% କେବଳ ୫ଟି ରାଜ୍ୟରୁ ରିପୋର୍ଟ କରାଯାଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ମୋଟ୍‌ ସଂକ୍ରମଣ ମାମଲା ୧୦ ଲକ୍ଷ ଟପି ୧୦ ଲକ୍ଷ ୧୫ ହଜାର ୬୮୧ରେ ପହଞ୍ଚିଛି ଯାଇଛି। ଶୁକ୍ରବାର ଦିନ ଏହି ରାଜ୍ୟରେ ୨୪ ହଜାର ୮୮୬ ମାମଲା ଚିହ୍ନଟ ହୋଇଛି। ବିଶ୍ବର ଚତୁର୍ଥ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର ରୁଷ୍‌କୁ ମହାରାଷ୍ଟ୍ର ଖୁବ୍‌ଶୀଘ୍ର ଟପିଯିବ।

ଦେଶରେ ସଂକ୍ରମଣ ୪୬ ଲକ୍ଷ ଟପିଲା
ଦିନକରେ ସର୍ବାଧିକ ୯୭,୫୭୦ ମାମଲା
ସର୍ବାଧିକ ୮୧ ହଜାର ୫୩୩ ସୁସ୍ଥ
ମହାରାଷ୍ଟ୍ର ସଂକ୍ରମଣ ୧୦ ଲକ୍ଷରୁ ଅଧିକ, ରୁଷ୍‌କୁ ଖୁବ୍‌ଶୀଘ୍ର ଟପିବ

ମୁମ୍ବାଇ: ମୁମ୍ବାଇର ଧାରାବୀ ବସ୍ତିରେ ଗତ ୨ ମାସ ମଧ୍ୟରେ ଅନେକ ଦିନ କରୋନା ସଂକ୍ରମଣ ମାମଲା ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ସୀମିତ ରହୁଥିଲା। କିନ୍ତୁ ଧାରାବୀରେ ଏବେ ପୁଣି ସଂକ୍ରମଣ ବଢ଼ିଛି। ଶୁକ୍ରବାର ଦିନ ଏହି ବୃହତ୍ତମ ବସ୍ତିରୁ ସର୍ବାଧିକ ୩୩ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଶେଷ ଥର ଜୁଲାଇ ୧୯ରେ ସର୍ବାଧିକ ୩୬ଟି ସଂକ୍ରମଣ ମାମଲା ରିପୋର୍ଟ କରାଯାଇଥିଲା। ଖାଲି ଧାରାବୀ ନୁହେଁ ମୁମ୍ବାଇରେ ମଧ୍ୟ ଏବେ ଦୈନିକ ସଂକ୍ରମଣ ୨ ହଜାରରୁ ଅଧିକ ରହୁଛି। ଗୁରୁବାର ମୁମ୍ବାଇରେ ମୋଟ୍‌ ୨,୩୭୧ ସଂକ୍ରମଣ ମାମଲା ଥିବାବେଳେ ଶୁକ୍ରବାର ୨,୧୯୧ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ପୁଣି ସଂକ୍ରମଣ ବଢ଼ିବାରୁ ଧାରାବୀରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଭୟ ସୃଷ୍ଟି ହୋଇଛି। କିନ୍ତୁ ବିଏମ୍‌ସି ଅଧିକ‌ାରୀମାନେ କହିଛନ୍ତି, ଟେଷ୍ଟିଂ ବଢ଼ିବାରୁ ସଂକ୍ରମଣ ସଂଖ୍ୟା ବଢ଼ୁଛି। ଏହା ଦ୍ବିତୀୟ ପର୍ଯ୍ୟ‌ାୟ ସଂକ୍ରମଣ ନୁହେଁ ବୋଲି ବିଏମ୍‌ସି ଅଧିକାରୀମାନେ କହିଛନ୍ତି। ମୁମ୍ବାଇରେ ମାମଲା ଦ୍ବିଗୁଣା ହେବା ସମୟ ମଧ୍ୟ କମିଯାଇଛି। ମେ’ ପ୍ରଥମରେ ମୁମ୍ବାଇରେ ସଂକ୍ରମଣ ଦ୍ବିଗୂଣା ହେବାପାଇଁ ୧୧-୧୩ ଦିନ ଲାଗୁଥିଲା। କିନ୍ତୁ ଅଗଷ୍ଟ ୨୫ରେ ମାମଲା ଦ୍ବିଗୁଣା ହେବପାଇଁ ୯୩ ଦିନ ଲାଗିଥିଲା। ଏବେ ମାମଲା ଦ୍ବିଗୁଣା ହେବାପାଇଁ ୫୮ ଦିନ ଲାଗୁଛି।

ସମ୍ବନ୍ଧିତ ଖବର