ନୂଆଦିଲ୍ଲୀ: ଦେଶରେ ମହାମାରୀ କୋଭିଡ୍-୧୯ ଦ୍ବିତୀୟ ଲହର ସଂକ୍ରମଣ ଲଗାତାର କମିବାରେ ଲାଗିଛି। ରବିବାର ଦୈନିକ ସଂକ୍ରମଣ ଗତ ୬୧ ଦିନରେ ସର୍ବନିମ୍ନ ଅର୍ଥାତ୍ ଲକ୍ଷେ ପାଖକୁ ଖସିଆସିଛି। ସେହିପରି ଦୈନିକ କୋଭିଡ୍ ମୃତ୍ୟୁ ସଂଖ୍ୟା ମଧ୍ୟ ଅଢ଼େଇ ହଜାର ତଳକୁ ହ୍ରାସ ପାଇଛି। ସର୍ବୋପରି ବିଗତ ୨୫ ଦିନ ହେଲା ନୂତନ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହେବା ସହ ସକ୍ରିୟ ସଂକ୍ରମିତ ମାମଲାରେ କ୍ରମାଗତ ହ୍ରାସ ଘଟିବା ପ୍ରକ୍ରିୟା ଜାରି ରହିବା ସୁଖବର ଆଣିଛି।
ସୋମବାର ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୦୦,୬୩୬ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦେଶରେ ଅଦ୍ୟାବଧି ମୋଟ ୨,୮୯,୦୯,୯୭୫ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୨୦,୪୨୧ ଜଣ ସଂକ୍ରମିତ ଟିହ୍ନଟ ହୋଇଥିବା ବେଳେ ତାହା ପଛକୁ କେରଳରେ ୧୪,୬୭୨ ଜଣ, ମହାରାଷ୍ଟ୍ରରେ ୧୨,୫୫୭ ଜଣ, କର୍ଣ୍ଣାଟକରେ ୧୨,୨୦୯ ଜଣ ଓ ଆନ୍ଧ୍ରପ୍ରଦେଶରେ ୮,୯୭୬ ଜଣ ସଂକ୍ରମିତ ବାହାରିଛନ୍ତି। କେବଳ ଏହି ୫ଟି ରାଜ୍ୟରେ ହିଁ ଦେଶର ୬୬.୪ ପ୍ରତିଶତ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ, ଏହି ଦିନକ ଭିତରେ ଦେଶରେ ୨,୪୨୭ ଜଣ କୋଭିଡ୍ ପୀଡ଼ିତ ଆଖି ବୁଜିଥିବା ଜଣାଯାଇଛି। ଏଥି ସହିତ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୩,୪୯,୧୮୬ରେ ପହଞ୍ଚିଛି।
ରବିବାରର ଏହି ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୬୧୮ ଜଣ ଆଖି ବୁଜିଥିବା ବେଳେ ତାହା ପଛକୁ ତାମିଲନାଡୁରେ ୪୩୪ ଜଣ, କର୍ଣ୍ଣାଟକର ୩୨୦ ଜଣ, କେରଳର ୨୨୭ ଜଣ ଓ ପଶ୍ଚିମବଙ୍ଗରେ ୧୦୭ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଲଗାତାର ୨୫ ଦିନ ପାଇଁ ଶୁକ୍ରବାର ମଧ୍ୟ ନୂତନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସଂଖ୍ୟକ କୋଭିଡ୍ ପୀଡ଼ିତ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି। ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୭୪,୩୯୯ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୭୧,୫୯,୧୮୦ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଥିବା ଜଣାଯାଇଛି। ଏଥି ସହିତ ଗତ ୨୪ ଘଣ୍ଟା ଭିତରେ ଦେଶରେ ସକ୍ରିୟ ମାମଲା ୭୬,୧୯୦ ଖସି ଆସି ୧୪,୦୧,୬୦୯ରେ ପହଞ୍ଚିଛି। ଲଗାତାର ଚଉଦ ଦିନ ପାଇଁ ଏପରି ସକ୍ରିୟ ହାର ୧୦ ପ୍ରତିଶତର ଯଥେଷ୍ଟ ତଳେ ରହିବା ସହ ପ୍ରଥମ କରି ୫ ପ୍ରତିଶତ ତଳ(୪.୮୫%)କୁ ଖସି ଆସିଛି। ସେହିପରି ଆରୋଗ୍ୟ ହାର ମଧ୍ୟ ୯୩.୯୪ ପ୍ରତିଶତ ପରି ଉଚ୍ଚ ସ୍ତରରେ ପହଞ୍ଚିଛି। ଅପରପକ୍ଷେ, ରବିବାର ଯୋଗୁଁ ପୂର୍ବଦିନ ତୁଳନାରେ ବହୁ କମ୍ ସଂଖ୍ୟକ ୧୩,୯୦,୯୧୬ ଜଣଙ୍କର ଟିକାକରଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/coronavirus-1618062383.jpeg)