ଦେଶରେ ଦୈନିକ ସଂକ୍ରମଣ ୧ ଲକ୍ଷ ଟପିଲା: ସକ୍ରିୟ ମାମଲା ୩ ଲକ୍ଷରୁ ଅଧିକ

ବିଶ୍ବରେ ସଂକ୍ରମଣ ୩୦ କୋଟି ଟପିଲା

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ମାମଲା ଆଜି ୧ ଲକ୍ଷ ଟପିଯାଇଛି। ୭ ମାସ‌ ମଧ୍ୟରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୧ ଲକ୍ଷ ଅତିକ୍ରମ କରିଛି। ଜୁନ୍‌ ୬ ତାରିଖରେ ଦେଶରେ ସଂକ୍ରମଣ ମାମଲା ୧,୧୪,୪୬୦ ଥିଲା। ସଂକ୍ରମଣ ମାମଲା ଦେଶରେ ୧୦ ହଜାର ଟପିବାର ସପ୍ତାହକ ପରେ ୧ ଲକ୍ଷ ଟପିଛି। ଗତ ୨୪ ଘଣ୍ଟାରେ ଦେଶରେ ୧,୧୭,୧୦୦ ନୂଆ ମାମଲା ଚିହ୍ନଟ ହୋଇଛି।

ଗତକାଲି ତୁଳନାରେ ସଂକ୍ରମଣ ୨୮ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୩.୫୨ କୋଟିରେ ପହଞ୍ଚିଛି ଏବଂ ସକ୍ରିୟ ମାମଲା ୩,୭୧,୩୬୩ ରହିଛି। ଦିନକରେ ୩୭୭ ଓମିକ୍ରନ୍‌ ମାମଲା ଚିହ୍ନଟ ହେବା ସହ ଦେଶରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦୭ ରହିଛି। ଓମିକ୍ରନ୍‌ ଏବେ ୨୭ ରାଜ୍ୟକୁ ବ୍ୟାପିଲାଣି। ମହାରାଷ୍ଟ୍ରରେ ସର୍ବାଧିକ ୮୬୭ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୪୬୫ ମାମଲା ଚିହ୍ନଟ ହୋଇଛି।

ମହାରାଷ୍ଟ୍ର କରୋନା ମହାମାରୀ ଯୋଗୁଁ ସର୍ବାଧିକ ପ୍ରଭାବିତ। ମହାରାଷ୍ଟ୍ରରେ ଆଜି ୩୬,୨୬୫ ମାମଲା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ୨୦,୧୮୧ ମାମଲା ମୁମ୍ବାଇରେ ରହିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟ‌ରେ ଲକ୍‌ଡାଉନ୍‌ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୫,୦୦୦ କରୋନା ମାମଲା ଚିହ୍ନଟ ହୋଇଛି। ଦିନକରେ ଦିଲ୍ଲୀ ସଂକ୍ରମଣ ମାମଲାରେ ୪୧.୫ ପ୍ରତିଶତ ବୃଦ୍ଧି ହୋଇଛି। ଦିଲ୍ଲୀ ଏବଂ ମୁମ୍ବାଇ ବାଦ୍‌ କୋଲକାତା, ଚେନ୍ନାଇ ଏବଂ ବେଙ୍ଗାଲୁରୁ ସଂକ୍ରମଣ ମଧ୍ୟ ଚିନ୍ତାଜନକ ହୋଇଛି।

ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଦେଶରେ ୩୦୨ ଜଣଙ୍କ କରୋନା‌ରେ ମୃତ୍ୟୁ ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୮୩,୧୭୮ ରହିଛି। ଦେଶରେ ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୧ ପ୍ରତିଶତ ଥିବା ବେଳେ ଆରୋଗ୍ୟ ହାର ୯୭.୫୭ ପ୍ରତିଶତ। ଗତ ୨୪ ଘଣ୍ଟାରେ ଦେଶରେ ୩୦,୮୩୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୪୩,୭୧,୮୪୫। ଦେଶରେ ଦୈନିକ ପଜିଟିଭ୍‌ ହାର ୭.୭୪% ଏବଂ ସାପ୍ତାହିକ ପଜିଟିଭ୍‌ ହାର ୪.୫୪ ପ୍ରତିଶତ ରହିଛି।

ବ୍ରିଟେନରେ ଆତଙ୍କ:ହସ୍ପିଟାଲ୍‌ରେ କର୍ମଚାରୀ ଅଭାବ, ସେନା ମୁତୟନ

ନୂଆଦିଲ୍ଲୀ: ବିଶ୍ବରେ କରୋନା ସଂକ୍ରମଣ ୩୦ କୋଟି ଟପିଯାଇଛି। ବିଶ୍ବରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩୦୧,୧୧୮,୬୯୩ ଏବଂ କରୋନା ମୃତ୍ୟୁସଂଖ୍ୟା ୫,୪୯୨,୦୪୬ ରହିଛି। ବିଶ୍ବର ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର ଆମେରିକାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫୯,୫୬୪,୧୧୬ ଏବଂ କରୋନା ମୃତ୍ୟୁସଂଖ୍ୟା ୮୫୫,୮୪୩ ରହିଛି ।

ଆମେରିକା ପରେ ଭାରତ ବିଶ୍ବରେ ଦ୍ବିତୀୟ କରୋନା ପ୍ରଭାବିତ ରାଷ୍ଟ୍ର। ୫୦ ଲକ୍ଷରୁ ଅଧିକ ସଂକ୍ରମଣ ଥିବା ଅନ୍ୟ ରାଷ୍ଟ୍ର ଗୁଡ଼ିକ ହେଉଛି ବ୍ରିଟେନ୍‌ (୧୪,୧୦୦,୩୦୩), ଫ୍ରାନ୍ସ (୧୧,୨୮୮,୭୦୪), ରୁଷ୍‌ (୧୦,୪୨୦,୮୬୩), ତୁର୍କୀ (୯,୭୮୯,୨୪୪), ଜର୍ମାନୀ (୭,୩୯୯,୦୧୫), ଇଟାଲି (୬,୯୭୫,୪୬୫), ସ୍ପେନ୍‌ (୬,୯୨୨,୪୬୬), ଇରାନ୍‌ (୬,୨୦୩,୦୪୬), ଆର୍ଜେଣ୍ଟିନା (୬,୦୨୫,୩୦୩) ଏବଂ କ‌ଲମ୍ବିଆ (୫,୨୪୨,୬୭୨)।

ବ୍ରିଟେନରେ ଅତି ଭୟଙ୍କର ସ୍ଥିତି ଉପୁଜିଛି। ଲଗାତାର ଭାବେ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ହସ୍ପିଟାଲରେ ବେଡ୍‌ ଅଭାବ ଦେଖା‌ଦେଉଛି ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କର ଅଭାବ ସମସ୍ୟା ବଢ଼ାଇଦେଇଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ବିଭିନ୍ନ ହସ୍ପିଟାଲରେ ଡାକ୍ତରଙ୍କୁ ସହଯୋଗ କରିବାପାଇଁ ସେନା ସଦସ୍ୟ ମୁତୟନ ହୋଇଛନ୍ତି। ପ୍ରାୟ ୨୦୦ ସେନା ସଦସ୍ୟ ଲଣ୍ଡନରେ ମୁତୟନ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୦ ଜଣ ‌ହେଉଛନ୍ତି ସେନା ଡାକ୍ତର ଏବଂ ଅନ୍ୟ ୧୬୦ ଜଣ ସାଧାରଣ ଡ୍ୟୁଟିରେ ରହନ୍ତି।

ଜାନୁଆରି ଶେଷ ସୁଦ୍ଧା ଦୈନିକ ସଂକ୍ରମଣ ୪-୮ ଲକ୍ଷରେ ପହଞ୍ଚିବ: ଆଇଆଇଟି ପ୍ରଫେସର

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ମୁମ୍ବାଇରେ ଓମିକ୍ରନ୍‌ଜନିତ କରୋନା ମାମଲା ପ୍ରାୟ ୧୦ ଦିନରେ ତଥା ଜାନୁଆରି ମଧ୍ୟଭାଗରେ ଶୀର୍ଷ ଛୁଇଁବ ବୋଲି ଆଇଆଇଟି କାନପୁର ପ୍ରଫେସର ମନିନ୍ଦ୍ରା ଅଗ୍ରୱାଲ କହିଛନ୍ତି। ମନିନ୍ଦ୍ରା କହିଛନ୍ତି, କରୋନାର ତୃତୀୟ ଲହର ମାର୍ଚ୍ଚ କିମ୍ବା ମାର୍ଚ୍ଚ ମାସ ପର ପର୍ଯ୍ୟନ୍ତ ଯିବ ନାହିଁ। ଉଭୟ ଦିଲ୍ଲୀ ଏବଂ ମୁମ୍ବାଇରେ ସଂକ୍ରମଣ ଶୀର୍ଷରେ ପହଞ୍ଚିଲେ ଦୈନିକ ସଂକ୍ରମଣ ୩୦,୦୦୦-୫୦,୦୦୦ ରହିବ। ଅନ୍ୟପକ୍ଷେ ଭାରତ ଚଳିତ ମାସ ଶେଷ ସୁଦ୍ଧା ଓମିକ୍ରନ୍‌ଜନିତ କରୋନା ସଂକ୍ରମଣ ମାମଲାର ଶୀର୍ଷରେ ପହଞ୍ଚିବ।

ସଂକ୍ରମଣ ଶୀର୍ଷରେ ଥିବା ସମୟରେ ଭାରତରେ ଦୈନିକ ୪-୮ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହେବ। ମନିନ୍ଦ୍ରା କହିଛନ୍ତି, କଡ଼ା ଲକ୍‌ଡାଉନ୍‌ ଦ୍ବାରା ଲହର ଆସିବାରେ ବିଳମ୍ବ ହେଉଛି ଏବଂ ଏହା କେବଳ ମହାମାରୀ ସମୟକୁ ଅଧିକ ବଢ଼ାଉଛି। କିନ୍ତୁ ଏହା ସ୍ବାସ୍ଥ୍ୟବ୍ୟବସ୍ଥା ଉପରେ ବୋଝ ବଢ଼ାଉନି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆଇଏଚ୍‌ଏମ୍‌ଇ (ଇନଷ୍ଟିଚ୍ୟୁଟ୍‌ ଫର ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏସନ୍‌)ର ଡାକ୍ତର ଖ୍ରିଷ୍ଟୋପର ମୁରେ କହିଛନ୍ତି, ଦେଶରେ ଓମିକ୍ରନ୍‌ ସଂକ୍ରମଣ ଜାନୁଆରି ଶେଷ ଏବଂ କିମ୍ବା ଫେବ୍ରୁଆରି ଆରମ୍ଭରେ ଶୀର୍ଷ ଛୁଇଁପ‌ା‌ରେ। ଯଦି ଲକ୍‌ଡାଉନ୍‌ ନହୁଏ ତେବେ ମାର୍ଚ୍ଚ ସୁଦ୍ଧା ସଂକ୍ରମଣ କମିବ ବୋଲି ଆଶା କରାଯାଉଛି। ମାର୍ଚ୍ଚ ଶେଷ ସୁଦ୍ଧା ଆମେ ଦୈନିକ ୧୦,୦୦୦ରୁ ୨୦,୦୦୦ ମାମଲା ଆଶା କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର