ଦେଶର ଦୈନିକ ସଂକ୍ରମଣ ୨ ଲକ୍ଷ ଟପିଲା
ନୂଆଦିଲ୍ଲୀ : ଦ୍ବିତୀୟ ଲହରରେ କରୋନା ଅତି ଭୟଙ୍କର ରୂପ ନେଇଛି। ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି ଏବଂ ଏଭଳି ସ୍ଥିତି ଲାଗି ରହିଲେ ଭାରତ ସଂକ୍ରମଣ ମାମଲାରେ ଆମେରିକାକୁ ଟପିବାପାଇଁ ଆଉ ବେଶି ଦିନ ଲାଗିବ ନାହିଁ। ପ୍ରଥମ ଥର ପାଇଁ ଦେଶର ଦୈନିକ ସଂକ୍ରମଣ ମାମଲା ୨ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୦୦,୭୩୯ ସଂକ୍ରମଣ ମାମଲା ସହ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୦ ଲକ୍ଷ ଅତିକ୍ରମ କରିଛି।। ସେହିପରି ଗୋଟିଏ ଦିନରେ ୧୦୩୮ ମୃତ୍ୟୁ ସହ ଦେଶର ମୋଟ୍ ମୃତ୍ୟୁସଂଖ୍ୟା ୧,୭୩,୧୨୩ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆମେରିକା ପରେ ଭାରତ ଦ୍ବିତୀୟ ରାଷ୍ଟ୍ରଭାବେ ଗତ ୪ ତାରିଖରେ ପ୍ରଥମ ଥର ପାଇଁ ୧ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଦେଖିଥିଲା। ଏହାର ୧୦ ଦିନ ପରେ ଭାରତ ପୁଣି ୨ ଲକ୍ଷ ସଂକ୍ରମଣ ମାମଲା ଦେଖିଛି। ଦେଶରେ ଦୈନିକ ସଂକ୍ରମଣ ମାମଲା ମାତ୍ର ୧୦ ଦିନରେ ୧ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଆମେରିକାରେ ଦୈନିକ ସଂକ୍ରମଣ ମାମଲା ୧ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି ହେବାପାଇଁ ୨୦ ଦିନ ଲାଗିଥିଲା। ଦ୍ବିତୀୟ ଲହରରେ ଭାରତରେ ଆମେରିକାଠାରୁ ମଧ୍ୟ ସଂକ୍ରମଣ ଅତି ଦ୍ରୁତ ଗତିରେ ବ୍ୟାପୁଛି।
ତଥ୍ୟ ମୁତାବକ ଗତବର୍ଷ ଅକ୍ଟୋବର ୩୦ରେ ଆମେରିକାରେ ଦୈନିକ ସଂକ୍ରମଣ ୧ ଲକ୍ଷ ଟପିଥିଲା। ନଭେମ୍ବର ୨୦୨୦ରେ ଏହା ୧,୯୯,୬୦୮ ଥିଲା। ଡିସେମ୍ବର ୨ ତାରିଖରେ ଆମେରିକାର ସଂକ୍ରମଣ ୨ ଲକ୍ଷ ଟପିଥିଲା। ସିଡିସି ତଥ୍ୟ ଅନୁଯାୟୀ ଆମେରିକାରେ ଗତ ଜାନୁଆରି ୮ ତାରିଖରେ ଦୈନିକ ସଂକ୍ରମଣ ୩ ଲକ୍ଷ ଟପିଯାଇଥିଲା। କିନ୍ତୁ ଭାରତରେ ସଂକ୍ରମଣ ଯେଉଁଭଳି ବଢ଼ି ଚାଲିଛି ଆଗକୁ ତାହା ଅତି ବିପଜ୍ଜନକ ସ୍ଥିତି ଉପୁଯିବ।
ଗତ ୫ ଦିନ ଧରି ଭାରତର ଦୈନିକ ସଂକ୍ରମଣ ୧ ଲକ୍ଷରୁ ଅଧିକ ରହିଛି। ମୃତ୍ୟୁସଂଖ୍ୟା ବଢ଼ିବା ବି ଅତ୍ୟନ୍ତ ଚିନ୍ତାଜନକ। ଗତ ୨ ଦିନ ଧରି ଦେଶରେ କରୋନା ମୃତ୍ୟୁ ମଧ୍ୟ ୧ ହଜାରରୁ ଅଧିକ ରହୁଛି। ଦୈନିକ ସଂକ୍ରମଣ ମାମଲା ବଢ଼ିବାରୁ ଦେଶରେ ସକ୍ରିୟ ମାମଲା ମଧ୍ୟ ବଢ଼ିଛି। ଦେଶରେ ସକ୍ରିୟ ମାମଲା ୧୪,୭୧,୮୭୭ ରହିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୧୦.୪୬ ପ୍ରତିଶତ। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୮୮.୩୧ ପ୍ରତିଶତକୁ ଖସି ଆସିଛି। ମୋଟ୍ ସଂକ୍ରମଣ ମାମଲା ୧,୪୦,୭୪,୫୬୪ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧,୭୩,୧୨୩ ରହିଛି ।