ବେଜିଂ: ଚୀନ୍‌ରେ କରୋନା ସଂକ୍ରମଣ ଅତି ଭୟଙ୍କର ଭାବେ ବଢ଼ିଚାଲିଛି। ଦୈନିକ ସଂକ୍ରମଣ ଏବେ ୧୦ ଲକ୍ଷ ଉପରେ ରହୁଛି। ଆଗାମୀ ଦିନରେ ଏହି ସଂକ୍ରମଣ ମାମଲା ଦ୍ବିଗୁଣା ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସାଂଘାଇ ନିକଟସ୍ଥ ଜେଝିଆଙ୍ଗରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଚୀନ୍‌ରେ କରୋନା ମୃତ୍ୟୁ ମଧ୍ୟ ବଢ଼ୁଛି। ଇତି ମଧ୍ୟରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ପ୍ରଥମ ଥର ପାଇଁ କରୋନା ସଂକ୍ରାନ୍ତରେ ସର୍ବସାଧାରଣରେ ଟିପ୍ପଣୀ ରଖିଛନ୍ତି। ଜୀବନ ବଞ୍ଚାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଜିନପିଙ୍ଗ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି।

Advertisment

ଚୀନ୍‌ରେ ମାତ୍ର ୨୦ ଦିନରେ ୨୫ କୋଟି ଲୋକ କରୋନା ସଂକ୍ରମିତ ହୋଇଥିବା ନେଇ ଏକ ତଥ୍ୟ ଲିକ୍‌ ହୋଇଛି। ଚଳିତ ମାସରେ ଚୀନ୍‌ରେ ‘ଜିରୋ-କୋଭିଡ୍‌ ନୀତି’ ହଟିବାପରେ ମାତ୍ର ୨୦ ଦିନରେ ୨୫ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଏନେଇ ତଥ୍ୟ ଲିକ୍‌ ହେବାପ‌ରେ ଚୀନ୍‌ର ଏନ୍‌ଏଚ୍‌ସି (ଜାତୀୟ ସ୍ବାସ୍ଥ୍ୟ କମିସନ୍‌) କହିଛି ରବିବାରଠାରୁ କୌଣସି କରୋନା ତଥ୍ୟ ଆଉ ଜାରି ହେବନି। ରେଡିଓ ଫ୍ରି ଏସିଆ ଅନୁଯାୟୀ ଲିକ୍‌ ହୋଇଥିବା ସରକାରୀ ତଥ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏଥିରୁ ଜଣାପଡ଼ିଛି ଯେ ଡିସେମ୍ବର ୧ରୁ ୨୦ ମଧ୍ୟରେ ୨୪୮ ନିୟୁତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଚୀନ୍‌ ଜନସଂଖ୍ୟାର ଏହା ୧୭.୬୫ ପ୍ରତିଶତ।

ସଂକ୍ରମଣ ବଢ଼ିବାରୁ ଚୀନ୍‌ରେ ହସ୍ପିଟାଲ୍‌ ବେଡ୍‌ର ଘୋର ଅଭାବ ଦେଖାଦେଇଛି। ‌ସଂକ୍ରମଣ ବଢ଼ିବା ସହ ଗୁରୁତର ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଗୁରୁତର ରୋଗୀଙ୍କୁ ଆଇସିୟୁ ମିଳୁନାହିଁ। ହୁ‌ୱେଇରେ ହସ୍ପିଟାଲ ଗୁଡ଼ିକ ଏବେ ରୋଗୀଙ୍କୁ ଫେରାଇ ଦେଉଛନ୍ତି। ଅନେକ ହସ୍ପିଟାଲ୍‌ରେ ରୋଗୀ ଚଟାଣରେ ଚିକିତ୍ସିତ ହେଉଛନ୍ତି। ଅଧିକ ସଂଖ୍ୟାରେ ବୟସ୍କ ସଂକ୍ରମିତ ହେଉଥିବାରୁ ମୃତ୍ୟୁ ବଢ଼ୁଛି। ତେବେ ଲଗାତାର ଭାବେ ଚୀନ୍‌ରେ ସଂକ୍ରମଣ ବଢ଼ୁଥିଲେ ସୁଦ୍ଧା ଚୀନ୍‌ ୫ ଦିନ ଧରି କୌଣସି କରୋନା ମୃତ୍ୟୁ ରିପୋର୍ଟ କରିନାହିଁ। ନାଗରିକମାନେ ସଠିକ୍‌ ତଥ୍ୟ ଚାହିଛନ୍ତି। ଏନଏଚ୍‌ସି ଲକ୍ଷଣବିହୀନ ସଂକ୍ରମଣ ଗୁଡ଼ିକୁ ରିପୋର୍ଟ କରୁନଥିବାରୁ ଚୀନ୍‌ରେ ସମ୍ପୂର୍ଣ୍ଣ ମାମଲା କେତେ ତାହା ସ୍ପଷ୍ଟ ହୋଇପାରୁନି। ଚୀନ୍‌ ଅତି ଭୟଙ୍କର ସପ୍ତାହ ଦେଇ ଗତି କରୁଛି। ସଂକ୍ରମଣ ବଢ଼ୁଥିବାରୁ ଚୀନ୍‌ର ସ୍ବାସ୍ଥ୍ୟ ବ୍ୟବସ୍ଥା ଏବେ ଚାପରେ ରହିଛି। ଶ୍ମଶାନ ଗୁଡ଼ିକରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।