କୋଭିଡ୍ ମୃତ୍ୟୁ ସଂଖ୍ୟା ନେଇ ସରକାର ଦେଉଥିବା ତଥ୍ୟ ସତ୍ୟଠାରୁ ବହୁ ଦୂରରେ: ସର୍ଭେ

ନୂଆଦିଲ୍ଲୀ: ଶ୍ମଶାନରେ ଜଳୁଥିବା ଶହ ଶହ ଶବ ଏବଂ କୋଭିଡ୍ ମୃତ୍ୟୁକୁ ନେଇ ସରକାରୀ ତଥ୍ୟ ଭିତରେ ଏକ ବଡ଼ ପ୍ରଭେଦ ରହୁଥିବା ନେଇ ସବୁବେଳେ ଅଭିଯୋଗ ହୁଏ । ଆଉ ଠିକ୍ ଏହି ଅଭିଯୋଗକୁ ନେଇ ହିନ୍ଦୀ ଖବରକାଗଜ ଦୈନିକ ଭାସ୍କର ଏବଂ ଇଂରାଜୀ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ମିଳିତ ଭାବେ ଯେଉଁ ରିପୋର୍ଟ ପ୍ରକାଶ କରିଛନ୍ତି, ତାହା ଏକ ଚାଂଚଲ୍ୟକର ସୂଚନା ସାମ୍ନାକୁ ଆଣିଛି ।

କୋଭିଡ୍ ମୃତ୍ୟୁ ସଂଖ୍ୟା ନେଇ ସରକାର ଦେଉଥିବା ତଥ୍ୟ ସତ୍ୟଠାରୁ ବହୁ ଦୂରରେ ବୋଲି ଏହି ରିିପୋର୍ଟରେ କୁହାଯାଇଛି । ଯେଉଁ ସଂଖ୍ୟା ସର୍ବସାଧାରଣ ପାଇଁ ଜାରି କରାଯାଉଛି, ତାଠାରୁ ୫ଗୁଣ ଅଧିକ ମୃତ୍ୟୁ ହେଉଛି । କେବଳ ସେତିକି ନୁହେଁ ରାଜ୍ୟଗୁଡ଼ିକୁ ମୃତ୍ୟୁ ସଂଖ୍ୟା ଲୁଚାଇବା ପାଇଁ କେନ୍ଦ୍ର ସରକାର, ରାଜ୍ୟଗୁଡ଼ିକ ଉପରେ ଚାପ ପକାଉଥିବା ରିିପୋର୍ଟରେ କୁହାଯାଇଛି ।

ମଧ୍ୟପ୍ରଦେଶ ଭୋପାଳରେ ୧୩ ଦିନରେ ଏକ ହଜାର ମୃତ୍ୟୁ ହୋଇଛି । କିନ୍ତୁ ସରକାରୀ ତଥ୍ୟରେ ସଂଖ୍ୟା ରହିଛି ମାତ୍ର ୪୧ । ଛତିଶଗଡ଼ ଦୁର୍ଗରେ ଏପ୍ରିଲ ୧୫ରୁ ୨୧ ଭିତରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଛି କିନ୍ତୁ ସରକାରୀ ତଥ୍ୟରେ ଅଧାରୁ କମ୍ ଦର୍ଶାଯାଇଛି । ଗୁଜୁରାଟର ସୁରତ ଓ ଗାନ୍ଧୀନଗରରେ ଏପ୍ରିଲ ୧୪ ତାରିଖରେ ୧୨୪ ଜଣ କୋଭିଡ୍ ରୋଗୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା, କିନ୍ତୁ ମୃତ୍ୟୁ ସଂଖ୍ୟା ୭୩ ଜଣ ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି । ଏସବୁ ଭିତରେ ଉତ୍ତରପ୍ରଦେଶର କାନପୁର, ଗୁଜୁରାଟର ଅହମ୍ମଦାବାଦ ଭଳି ସହରର ତଥ୍ୟ  ଦେଇ କୋଭିଡ୍ ମୃତ୍ୟୁର ତଥ୍ୟକୁ ଲୁଚାଯାଇଥିବା ନେଇ ଦୈନିକ ଭାସ୍କର ଏବଂ ନ୍ୟୁୟର୍କ ଟାଇମ୍ସର ମିଳିତ ରିପୋର୍ଟରେ ପ୍ରକାଶ କରାଯାଇଛି ।

କୋଭିଡ୍ ମୃତ୍ୟୁ ସଂଖ୍ୟା ଉପରେ ସବୁବେଳେ ସନ୍ଦେହ ଉଠେ । ବିଶେଷ କରି ଯେତେବେଳେ ଏହା ସରକାର କିମ୍ବା ପ୍ରଶାସନର ଭାବମୂର୍ତ୍ତି ସହ ଜଡ଼ିତ ଥାଏ । ଗଣମାଧ୍ୟମର ଏହି ରିପୋର୍ଟ ବାହାରେ ସାଧାରଣରେ ବି ଏକ ଧାରଣା ହୁଏ, ଯେତେବେଳେ ଆଖି ସାମ୍ନାରେ କୋଭିଡରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିର ନାଁ ସରକାରୀ ମୃତ୍ୟୁ ତାଲିକାରେ ନଥାଏ ।

ସମ୍ବନ୍ଧିତ ଖବର