ନୂଆଦିଲ୍ଲୀ: ଦୈନିକ ଖବରକାଗଜ ‘ଦୈନିକ ଭାସ୍କର’ ୭ଶହ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ଆଣିଛି ଆଇଟି ବିଭାଗ । ମୁମ୍ବାଇ, ଦିଲ୍ଲୀ, ଭୋପାଳ, ଅହମ୍ମଦାବାଦ, ଇନ୍ଦୋର, ନୋଏଡାରେ ଥିବା ୨୦ରୁ ଅଧିକ ଘରୋଇ ଓ ବ୍ୟବସାୟିକ ସଂସ୍ଥା ଉପରେ ଚଢ଼ାଉ କରି ଜବତ ହୋଇଥିବା କାଗଜପତ୍ରରୁ ଏହାର ପ୍ରମାଣ ମିଳିଛି ବୋଲି ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ କୁହାଯାଇଛି । କେବଳ ଗଣମାଧ୍ୟମରେ ନୁହେଁ ବରଂ ସେୟାର ହୋଲଡିଂ, ଟେକ୍ସଟାଇଲ ଓ ରିଅଲ ଇଷ୍ଟେଟ୍ ଆଦି କ୍ଷେତ୍ରରେ ୧୦ରୁ ଅଧିକ ବ୍ୟବସାୟ କେନ୍ଦ୍ର ଚଳାଉଛି ‘ଦୈନିକ ଭାସ୍କର’ ଗ୍ରୁପ୍ । ଏସବୁ ବ୍ୟବସାୟ ଗ୍ରୁପର ମାଲିକଙ୍କ ନାଁରେ ନୁହେଁ ବରଂ ଗ୍ରୁପରେ କାର୍ଯ୍ୟରତ କର୍ମଚାରୀଙ୍କ ନାଁରେ ଚାଲିଛି ।

Advertisment

ଏନେଇ ଆଇଟି ବିଭାଗ ସମ୍ପୃକ୍ତ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ ବି ସେମାନେ ଏ ବାବଦରେ କିଛି ଜାଣିନଥିବା କହିଥିଲେ । ସେମାନଙ୍କ ଠାରୁ କେବଳ ସେମାନଙ୍କ ଆଧାରକାର୍ଡ କପି ଓ ଡିଜିଟାଲ ହସ୍ତାକ୍ଷର ନିଆଯାଇଥିଲା । ଯେହେତୁ ସେମାନେ ଦୀର୍ଘଦିନ ହେବ ଗ୍ରୁପରେ କାମ କରିଆସୁଛନ୍ତି ତେଣୁ ବିନା ଦ୍ୱିଧାରେ ଆବଶ୍ୟକ ପ୍ରମାଣପତ୍ର ଦେଇଦେଇଥିଲେ । ଆଉ କିଛି ସେୟାର, ଗ୍ରୁପ ଅଧିକାରୀଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ମଧ୍ୟ ଜଣାପଡିଛି । ଚଢ଼ାଉ ବେଳେ ବିଭିନ୍ନ ସ୍ଥାନରୁ ୨୬ଟି ଲକର ମଧ୍ୟ ଜବତ କରିଛି ଆଇଟି ବିଭାଗ । ଏନେଇ ଦୈନିକ ଭାସ୍କରର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ ।

ସୂଚନା ମୁତାବକ, ଗତ ୨୨ ତାରିଖରେ ଭାସ୍କରର ଡିଜିଟାଲ ‘ଭାରତ ସମାଚର’ ଉପରେ ଆଇଟି ବିଭାଗ ରାତିଅଧିଆ ଚଢ଼ାଉ ହୋଇଥିଲା । ତେବେ ବିଭାଗର ଯାଞ୍ଚ କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ ଏବଂ ଆହୁରି ତଥ୍ୟ ଆଗକୁ ଆସିପାରେ ବୋଲି ବିଭାଗୀୟ ଯାଞ୍ଚ ଅଧିକାରୀ କହିଛନ୍ତି ।

ଅନ୍ୟପଟେ ଆଇଟିର ଏପରି ଚଢ଼ାଉକୁ ଏକ ସୁଚିନ୍ତିତ ଚକ୍ରାନ୍ତ ବୋଲି କହିଥିଲେ ଦେଶର ବିଭିନ୍ନ ଗଣମାଧ୍ୟମ। କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ହୋଇଥିବା ମୃତ୍ୟୁ ସଂଖ୍ୟା, ସିଲିଣ୍ଡର ରାଜନୀତି ଆଦିକୁ ନେଇ ଭାସ୍କର ଯେଉଁ ଖବର ଛାପିଥିଲା ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବାବେଳେ ସରକାରଙ୍କ ଚିନ୍ତା ବଢିଯାଇଥିଲା । ତେଣୁ ସରକାର ଜାଣିଶୁଣି ଏପରି ଚଢ଼ାଉ କରାଇଥିବା ଅନେକ ଗଣମାଧ୍ୟମ ପକ୍ଷରୁ ମତ ପ୍ରକାଶ ପାଇଛି ।