ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ଦୁଗ୍ଧ ମହାସଂଘ ବିଶ୍ୱ ଡାଏରି ଶିଖର ସମ୍ମିଳନୀ-୨୦୨୨ (ଆଇଡିଏଫ୍ ଡବ୍ଲୁଡିଏସ)-୨୦୨୨ ଉଦ୍ଘାଟନ କରିଛନ୍ତି। ଇଣ୍ଡିଆ ଏକ୍ସପୋ ସେଂଟର ଆଣ୍ଡ୍ ମାର୍ଟ, ବୃହତ୍ ନଏଡାରେ ଏହା ଆୟୋଜିତ ହେଉଛି।ଏହି ଅବସରରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଶ୍ୱର ଦୁଗ୍ଧ ଉତ୍ପାଦନ କ୍ଷେତ୍ର ସହ ସଂଶ୍ଳିଷ୍ଟ ସମସ୍ତ ଅଂଶୀଦାର ଆଜି ଭାରତରେ ସମବେତ ହୋଇଥିବାରୁ ଆନନ୍ଦ ପ୍ରକଟ କରିଥିଲେ। ବିଶ୍ୱ ଡାଏରି ଶିଖର ବୈଠକ ଚିନ୍ତାଧାରା-ବିନିମୟର ଏକ ବିରାଟ ମାଧ୍ୟମ ହୋଇପାରିବ ବୋଲି ସେ କହିଥିଲେ। ଦୁଗ୍ଧ ଉତ୍ପାଦନ କ୍ଷେତ୍ର କେବଳ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିନାହିଁ, ବରଂ ଏହା ବିଶ୍ୱର କୋଟି କୋଟି ଜନସାଧାରଣଙ୍କ ଜୀବିକାର ଏକ ମୁଖ୍ୟ ସ୍ରୋତ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ‘ପଶୁଧନ’ର ବିଶେଷତ୍ୱ ତଥା ଦୁଗ୍ଧ ସମ୍ପର୍କିତ ବ୍ୟବସାୟ ଭାରତରେ ସାଂସ୍କୃତିକ ଦୃଶ୍ୟପଟର ଏକ ପ୍ରମୁଖ ଅଂଶ ବୋଲି କହିଥିଲେ। ଏହା ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଅନେକ ଅନନ୍ୟ ବୈଶିଷ୍ଟ୍ୟ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱର ଅନ୍ୟ ଦେଶଗୁଡିକୁ ତୁଳନା କଲେ ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ମୂଳରେ କେବଳ କ୍ଷୁଦ୍ର ଚାଷୀ ହିଁ ରହିଛନ୍ତି। ସେମାନଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି ବିଶ୍ୱର ବୃହତ୍ତମ ଦୁଗ୍ଧ ଉତ୍ପାଦନକାରୀ ଦେଶଭାବେ ପରିଗଣିତ। ଏହି କ୍ଷୁଦ୍ର ଚାଷୀମାନେ ଗୋଟିଏ, ଦୁଇଟି ବା ତିନିଟି ପଶୁ ଜରିଆରେ ଉତ୍ପାଦନ ଅବ୍ୟାହତ ରଖିଥାନ୍ତି। ଦେଶର ଆଠକୋଟିରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଏହି କ୍ଷେତ୍ର କର୍ମନିଯୁକ୍ତିର ସୁଯୋଗ ଦେଇଥାଏ।
ଦୁଗ୍ଧ ଉତ୍ପାଦନ କ୍ଷେତ୍ର ସାଢ଼େ ଆଠ ଲକ୍ଷ କୋଟି ଟଙ୍କାରୁ ଅଧିକ
ପ୍ରାଣୀମାନଙ୍କ ପାଇଁ ହେବ ବାୟୋମେଟ୍ରିକ୍ ଆଧାର ବ୍ୟବସ୍ଥା
ଭାରତୀୟ ଡାଏରି କ୍ଷେତ୍ରରେ ଦ୍ୱିତୀୟ ଅନ୍ୟାନ୍ୟ ବୈଶିଷ୍ଟ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡାଏରି କ୍ଷେତ୍ରରେ ଭାରତରେ ଯେଉଁ ବିଶାଳ ସମବାୟ ସମିତି-ମାନ ରହିଛି ତାହାର ଦୃଷ୍ଟାନ୍ତ ସାରା ପୃଥିବୀର କୌଣସି ସ୍ଥାନରେ ଦୃଷ୍ଟି ଗୋଚର ହୁଏ ନାହିଁ। ଏହି ଦୁଗ୍ଧ ସମବାୟ ସମିତିଗୁଡିକ ଦ୍ୱାରା ପ୍ରାୟ ଦୁଇକୋଟି ଚାଷୀ ଦେଶର ଦୁଇଲକ୍ଷରୁ ଅଧିକ ଗ୍ରାମରେ ଦିନକୁ ଦୁଇଥର ଲେଖାଏଁ ଦୁଗ୍ଧ ସଂଗ୍ରହ କରି ଗ୍ରାହକମାନଙ୍କୁ ବିତରଣ କରିଥାଆନ୍ତି। ଏଥିରେ କେହି ବି ମଧ୍ୟସ୍ଥ ନ ଥାନ୍ତି ଓ ଗ୍ରାହକମାନଙ୍କଠାରୁ ଆଦାୟ ହୋଇଥିବା ଶତକଡା ୭୦ ଭାଗରୁ ଅଧିକ ଅର୍ଥ ସିଧାସଳଖ ଚାଷୀଙ୍କ ପାଖକୁ ଯାଇଥାଏ। ଡାଏରି କ୍ଷେତ୍ରରେ ହେଉଥିବା ଡିଜିଟାଲ ଦେଣନେଣ ପ୍ରକ୍ରିୟା ଅନ୍ୟ ଦେଶଗୁଡିକ ନିମନ୍ତେ ଶିକ୍ଷଣୀୟ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ ଅନ୍ୟ ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଭାରତରେ ଜନ୍ମିତ ପଶୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିପାରିବ। ଗୁଜରାଟ କଚ୍ଛ ଅଞ୍ଚଳର ବନ୍ନୀ ମଇଁଷିର ଉଦାହରଣ ସେ ଦେଇଥିଲେ। ସେ ମଧ୍ୟ ମୁରାହ, ମେହଶନା, ଜାଫ୍ରୀବାଦୀ, ନିଲୀରବି ଓ ପ୍ରାଧାରପୁରୀ ଶ୍ରେଣୀୟ ମଇଁଷିର ଉଦାହରଣ ଦେଇଥିଲେ। ଗାଈ ପ୍ରଜାତି ମଧ୍ୟରେ ସେ ଗୀର, ସହିୱାଲ, ରାଠୀ, କଙ୍କେରଜୀ, ଥରପାଇକର ଓ ହରିୟାନାର ଉଦାହରଣ ଦେଇଥିଲେ।
ଅନ୍ୟ ଏକ ବୈଶିଷ୍ଟ୍ୟସ୍ୱରୂପ ପ୍ରଧାନମନ୍ତ୍ରୀ ଡାଏରି କ୍ଷେତ୍ରରେ ମହିଳା ଶକ୍ତି ଉପରେ ଆଲୋକପାତ କରିଥିଲେ। ମହିଳାମାନଙ୍କ ଭାରତୀୟ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଶତକଡା ୭୦ଭାଗ ପ୍ରତିନିଧିତ୍ୱ ରହିଛି। କେବଳ ସେତିକି ନୁହେଁ, ଦୁଗ୍ଧ ସମବାୟ ସମିତିର ଏକ ତୃତୀୟାଂଶ ସଦସ୍ୟ କେବଳ ମହିଳା ବୋଲି ସେ କହିଥିଲେ। ସାଢେ ଆଠ ଲକ୍ଷ କୋଟିର ଡାଏରି କ୍ଷେତ୍ର ଉଭୟ ଧାନ ଓ ଗହମ କ୍ଷେତ୍ରର ମୂଲ୍ୟଠାରୁ ମଧ୍ୟ ଅଧିକ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ପରଠାରୁ ସରକାର ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଉଦ୍ୟମ କରି ଆସୁଛନ୍ତି। ଏହାଫଳରେ ଦୁଗ୍ଧ ଉତ୍ପାଦନ ଅଧିକ ହେବା ସହ ଚାଷୀମାନଙ୍କ ଆୟ ବୃଦ୍ଧି ହୋଇଛି। ଭାରତ ୨୦୧୪ରେ ୧୪୬ ନିୟୁତ ଟନ୍ ଦୁଗ୍ଧ ଉତ୍ପାଦନ କରୁଥିଲା। ଏହା ଏବେ ବୃଦ୍ଧି ପାଇ ୨୧୦ ନିୟୁତ ଟନ୍ରେ ପହଞ୍ଚିଛି। ଚାଷୀଙ୍କ ପାଇଁ ଅତିରିକ୍ତ ଆୟ, ଗରିବର ସଶକ୍ତୀକରଣ, ସ୍ୱଚ୍ଛତା, ରସାୟନମୁକ୍ତ ଚାଷ, ସ୍ୱଚ୍ଛ ଇନ୍ଧନ ଓ ଗୃହପାଳିତ ପଶୁଙ୍କ ସେବାଯତ୍ନ ଏହା ସହିତ ଅଙ୍ଗାଙ୍ଗୀଭାବେ ଜଡିତ। ଗ୍ରାମର ସବୁଜ, ସ୍ଥାୟୀ ଓ ନିରନ୍ତର ବିକାଶ ନିମନ୍ତେ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ସେ କହିଥିଲେ। ରାଷ୍ଟ୍ରୀୟ ଗୋକୁଳ ମିଶନ, ଗୋବର୍ଦ୍ଧନ ଯୋଜନା, ଡାଏରି କ୍ଷେତ୍ରର ଡିଜିଟାଇଜେସନ ଓ ଗୃହପାଳିତ ପଶୁମାନଙ୍କ ସାର୍ବଜନୀନ ଟିକାକରଣ ସହ ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ବର୍ଜନ ଏ ଦିଗରେ କେତେକ ପଦକ୍ଷେପ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଦୁଗ୍ଧ ଦେଉଥିବା ପଶୁମାନଙ୍କର ଏକ ବୃହତ୍ତମ ଓ ତଥ୍ୟ ଭଣ୍ଡାର ତିଆରି କରୁଛି ଓ ଡାଏରି କ୍ଷେତ୍ର ସହ ଯୋଡି ହୋଇଥିବା ପ୍ରତ୍ୟେକ ପ୍ରାଣୀ ଏଥିରେ ସାମିଲ ହେବେ। ଆମେ ପ୍ରାଣୀମାନଙ୍କ ବାୟୋମେଟ୍ରିକ ଚିହ୍ନଟୀକରଣ କରିବାକୁ ଯାଉଛୁ। ଏହାକୁ ଆମେ ‘ପଶୁ ଆଧାର’ ନାମକରଣ କରିଛୁ ବୋଲି ସେ କହିଥିଲେ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା, କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍. ମୁରୁଗାନ, କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀୟ କୁମାର ବାଲୟାନ, ସାଂସଦ ସୁରେନ୍ଦ୍ର ସିଂ ନାଗର ଓ ଡ. ମହେଶ ଶର୍ମା, ଆନ୍ତର୍ଜାତିକ ଡାଏରି ମହାସଂଘ ସଭାପତି ପି. ବ୍ରାଜାଲେ ଓ ଆନ୍ତର୍ଜାତିକ ଡାଏରି ମହାସଂଘ ମହାନିର୍ଦ୍ଦେଶକ ଶ୍ରୀମତୀ କାରୋଲିନ ଏମଣ୍ଡ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରଯୁକ୍ତିବିଦ୍ୟା ଦ୍ୱାରା ୭୫ଲକ୍ଷ ଚାଷୀଙ୍କୁ ଏହି କାର୍ଯ୍ୟକ୍ରମ ସହ ଯୋଡାଯାଇଥିଲା।