ଚୀନକୁ ଚିଡ଼ାଇଲେ ଦଲାଇ ଲାମା, ମଙ୍ଗୋଲିଆର ବାଳକକୁ ବାଛିଲେ ତିବ୍ବତୀୟ ବୌଦ୍ଧଧର୍ମର ୩ୟ ସର୍ବୋଚ୍ଚ ଧର୍ମଗୁରୁ

ଧର୍ମଶାଳା : ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା ଆମେରିକାରେ ଜନ୍ମିତ ମଙ୍ଗୋଲିଆ ବାଳକକୁ ତିବ୍ବତୀୟ ବୌଦ୍ଧ ଧର୍ମରେ ତୃତୀୟ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ନେତା ଭାବେ ମାନ୍ୟତା ଦେଇଛନ୍ତି। ଦଲାଇ ଲାମା ଓ ପଞ୍ଚେନ ଲାମାଙ୍କ ପରେ ବୌଦ୍ଧ ଧର୍ମର ତୃତୀୟ ଶ୍ରେଷ୍ଠ ଧାର୍ମିକ ନେତା ପାଲଟିଛି ଏହି ବାଳକ । ଏହି ବାଳକର ବୟସ ୮ ବର୍ଷ ହେବ ବୋଲି କୁହାଯାଉଛି। ତେବେ ଦଲାଇ ଲାମାଙ୍କର ଏହି ନିଷ୍ପତ୍ତିକୁ ନେଇ ଚୀନ ଅସନ୍ତୋଷ ପ୍ରକାଶ କରିବାର ସମ୍ଭାବନା ରହିଛି।

ବୌଦ୍ଧ ଧର୍ମରେ ଧାର୍ମିକ ନେତାଙ୍କ ପୁନର୍ଜନ୍ମର ବିଶେଷ ମହତ୍ତ୍ୱ ରହିଛି । ଦଲାଇ ଲାମା ଏହି ଶିଶୁକୁ ଦଶମ ଖାଲଖା ଜେଟସନ୍ ଧାମ୍ପା ରିନପୋଚେଙ୍କ ପୁନର୍ଜନ୍ମ ଭାବେ ସ୍ୱୀକୃତି ଦେଇଛନ୍ତି । ହିମାଚଳ ପ୍ରଦେଶର ଧର୍ମଶାଳାରେ ଏହି ଶିଶୁକୁ ତିବ୍ବତୀୟ ଧାର୍ମିକ ନେତା ଭାବେ ମାନ୍ୟତା ଦେବା ପାଇଁ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହା ସେହି ସ୍ଥାନ ଯେଉଁଠାରେ ୮୭ ବର୍ଷୀୟ ଦଲାଇ ଲାମା ନିର୍ବାସିତ ଜୀବନ ବିତାଉଛନ୍ତି। ନିର୍ବାସିତ ତିବ୍ଦତୀୟ ସରକାର ମଧ୍ୟ ଏହି ସ୍ଥାନରୁ କାର୍ଯ୍ୟ କରୁଛି ।

ମଙ୍ଗୋଲିଆ ରିପୋର୍ଟ ଅନୁଯାୟୀ, ଏହି ଶିଶୁଟି ଯାଆଁଳା ପୁଅଙ୍କ ମଧ୍ୟରୁ ଅନ୍ୟତମ । ଏହି ଦୁଇ ଜଣଙ୍କ ନାମ ହେଉଛି ଆଗୁଇଡାଇ ଓ ଅଚିଲତାଇ ଅଲତାନାର । ତାଙ୍କ ପିତାମାତାଙ୍କ ନାମ ଅଲଟ୍ନର ଚିଞ୍ଚୁଲୁନ୍ ଏବଂ ମନୋଖନାସନ ନର୍ମଦଖ୍ । ପିଲାଟିର ପିତା ଅଲଟନର ଚିଞ୍ଚୁଲୁନ ଜଣେ ବିଶ୍ୱବିଦ୍ୟାଳୟ ଗଣିତ ଅଧ୍ୟାପକ । ନାବାଳକର ଜେଜେମା, ଗର୍ମଜାଭ ସେଡେନ ଜଣେ ପୂର୍ବତନ ମଙ୍ଗୋଲିଆ ସାଂସଦ ।

ଦଲାଇଲାମାଙ୍କ ଏହି ନିଷ୍ପତ୍ତିକୁ ନେଇ ଚୀନ ବିରକ୍ତ ହେବାର ଆଶଙ୍କା ରହିଛି । ପୂର୍ବରୁ ୧୯୯୫ରେ ଦଲାଇଲାମା ତିବ୍ବତର ଏକ ବାଳକଙ୍କୁ ୧୧ଶ ପଞ୍ଚେମ ଲାମା ଘୋଷଣା କରିଥିଲେ । ଏହା ପରେ ଚୀନ ପଞ୍ଚେନ ଲାମାଙ୍କୁ ଅପହରଣ କରିନେଇଥିଲା ଓ ତାଙ୍କର ପତ୍ତା ଏ ପର୍ଯ୍ୟନ୍ତ ମିଳୁନାହିଁ । ତାଙ୍କ ବଦଳରେ ଚୀନ ଆଉ ଜଣଙ୍କୁ ପଞ୍ଚେମ ଲାମା ଘୋଷଣା କରିଥିଲା ।

କିନ୍ତୁ ମଙ୍ଗୋଲିଆ ବାଳକକୁ ଚୀନ ଅପହରଣ କରିବା ସେତେଟା ସହଜ ହେବା ନାହିଁ । କାରଣ ସେ ମଙ୍ଗୋଲୀୟ ହୋଇଥିଲେ ବି ଆମେରିକାରେ ଜନ୍ମିତ । ଏଣୁ ଜନ୍ମ ଅନୁସାରେ ସେ ଆମେରିକୀୟ ନାଗରିକ । ଏଣୁ ତାଙ୍କୁ ଅପହରଣ କରିବା ଜଣେ ଆମେରିକୀୟ ନାଗରିକକୁ ଅପହରଣ କରିବା ବୋଲି ଧରାଯିବ ।

ସମ୍ବନ୍ଧିତ ଖବର