ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଭାରତରେ ଖବୁ ଲୋକପ୍ରିୟ। ଲୋକମାନେ ତାଙ୍କୁ ଆଦର କରିବା ସହିତ ସମ୍ମାନ ବି କରିଥାଆନ୍ତି। ସେ ବହୁ ଦଶନ୍ଧି ଧରି ଭାରତର ହିମାଚଳ ପ୍ରଦେଶରେ ରହି ଆସୁଛନ୍ତି। କିଛିଦିନ ତଳେ ଭାରତ ଓ ଚାଇନା ଏକାଠି କାର୍ଯ୍ୟ କଲେ ବିଶ୍ୱ ଲାଭବାନ ହେବ ବୋଲି ସେ ଏକ ବୟାନ ଦେଇଥିଲେ। ନିକଟରେ ତାଙ୍କର ଅତି ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ ଜଣେ ଛୋଟ ଝିଅଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳୁଛି। ଟ୍ୱିଟରରେ ଏହି ଭିଡିଓ ସେୟାର କରାଯାଇଛି। ଯଦିଓ ଏହି ଭିଡିଓ କେବେକାର ଏବଂ କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇନାହଁ, କିନ୍ତୁ ଏହା ଏକ ସୁନ୍ଦର ଭିଡିଓଟି।
ଭିଡିଓରେ ଦେଖାଯାଉଛି ଛୋଟ ଝିଅ ହାତରେ ମାଇକ୍ ଧରି ଦଲାଇ ଲାମାଙ୍କୁ ପଚାରୁଛନ୍ତି, ସାର୍ ଦଲାଇ ଲାମା ଏମିତି କେଉଁ ସମୟ ଅଛି ଯେତେବେଳେ ଆପଣ କ୍ରୋଧିତ ହୁଅନ୍ତି?
ଶିଶୁର ଏଭଳି ପ୍ରଶ୍ନରେ ଦଲାଇ ଲାମା ଟିକିଏ ହସି ଦେଇ କହିଥିଲେ, ‘ଯେତେବେଳେ ମୁଁ ଶୋଇଥାଏ, ଆଉ ମଶା ଆସି କାନ ପାଖରେ ଭୁଣୁଭୁଣୁ ଶବ୍ଦ କରିଥାଏ, ମୋତେ ବହୁ ଖରାପ ଲାଗିଥାଏ। ତେଣୁ ମୁଁ ଏହି ସମୟରେ କ୍ରୋଧିତ ହୋଇଯାଇଥାଏ।’
ଏହି ମଜାଳିଆ ଉତ୍ତର ଶୁଣି ଘଟଣାସ୍ଥଳରେ କୁନି ଶିଶୁ ସହିତ ଉପସ୍ଥିତଥିବା ଅନ୍ୟ ଲୋକମାନେ ହସିବାକୁ ଲାଗିଥିଲେ।