ଦିଲ୍ଲୀ ଡାକ୍ତରଖାନାରେ ଦଲାଇ ଲାମାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀର ଏକ ଡାକ୍ତରଖାନାରେ ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।
ଧରମଶାଳାରୁ ଏହି ୮୩ ବର୍ଷିୟ ନେତା ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସାକେତସ୍ଥିତ ମ୍ୟାକ୍ସ୍‍ ହସ୍‌ପିଟାଲ୍‌କୁ ଆସିଥିଲେ।

ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସେ ସାଧାରଣତଃ ମ୍ୟାକ୍ସ୍‍ ଫେସିଲିଟି ଆସନ୍ତି।

କିନ୍ତୁ, ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କି ନାହିଁ ଜଣାପଡ଼ି ନାହିଁ।

ଏପ୍ରିଲ୍‌ ୬ ତାରିଖରେ ଶେଷ ହୋଇଥିବା ଗ୍ଲୋବାଲ୍‌ ଲର୍ଣ୍ଣିଙ୍ଗ୍‌ କନ୍‌ଫରେନ୍‌ସ୍‌ରେ ଯୋଗ ଦେବା ନିମନ୍ତେ ଦଲାଇ ଲାମା ଦିଲ୍ଲୀରେ ଅବସ୍ଥାନ କରୁଥିଲେ। ସୋମବାର ଦିନ ସେ ନୂଆ ଦିଲ୍ଲୀରୁ ଧରମଶାଳା ଫେରି ଯାଇଥିଲେ।

ଚୀନ୍‌ କବଳରୁ ୧୯୫୯ ମସିହାରେ ଖସି ଆସିଥିବା ଏହି ୧୪ତମ ଦଲାଇ ଲାମା ପାର୍ବତ୍ୟ ନଗର ଧରମଶାଳାରେ ନିର୍ବାସନ ଜୀବନ ବିତାଉଛନ୍ତି।
ଏହି କାର୍ଯ୍ୟକ୍ରମରେ ସେ ତାଙ୍କର ବାର୍ଦ୍ଧକ୍ୟ ଶରୀର ଏବଂ ପୁନର୍ଜନ୍ମ ପ୍ରସଙ୍ଗରେ କହିଥିଲେ।

ପରବର୍ତ୍ତୀ ଦଲାଇ ଲାମାଙ୍କ ଉପରେ ଚୀନ୍‌ର ନୀତି କ’ଣ ହେବ ପଚରା ଯିବାରୁ ସେ କହିଥିଲେ, ଯଦି ମୁଁ ଆଉ ୧୦-୧୫ ବର୍ଷ ବଞ୍ଚେ ଚୀନ୍‌ର ରାଜନୈତିକ ଅବସ୍ଥା ବଦଳି ଯିବ। କିନ୍ତୁ ଆଉ ଅଳ୍ପ କେତେ ବର୍ଷ ମଧ୍ୟରେ ଯଦି ମରିଯାଏ, ଚୀନ୍‌ ସରକାର ଦେଖାଇବ ଯେ ଚୀନ୍‌ରେ ପୁନର୍ଜନ୍ମ ହୋଇଛି।

ସମ୍ବନ୍ଧିତ ଖବର