ଚୀନର ମହାଲୁଟ ରୋକିବାକୁ ବିଶ୍ୱ ସାମ୍ନାରେ ନିବେଦନ କଲେ ଦଲାଇଲାମା  

ନୂଆଦିଲ୍ଲୀ: ତିବ୍ଦତ ଉପରେ କବଜା କରିବା ପରଠାରୁ ଚୀନ୍ ତିବ୍ଦତର ଅମୂଲ୍ୟ ସଂପଦ ଲୁଟ କରିବାରେ ବ୍ୟସ୍ତ ରହିଛି । ପ୍ରାକୃତିକ ସମ୍ପଦରେ ଭରପୂର ତିବ୍ବତ ଉପରେ ଚୀନର ଏହି ମନମାନୀକୁ ନେଇ ଆଜି ବୌଦ୍ଧ ଧର୍ମଗୁରୁ ଦଲାଇଲାମା ଏହି ଅଞ୍ଚଳର ପରିବେଶ ଉପରେ ପଡୁଥିବା ପ୍ରଭାବ ପ୍ରତି ଧ୍ୟାନ ଦେବାକୁ ବିଶ୍ୱକୁ ନିବେଦନ କରିଛନ୍ତି। ୨୬ତମ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (COP26) ପାଇଁ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ ବିଶ୍ୱର ନେତାମାନେ ଏକାଠି ହୋଇଥିବାବେଳେ ଆଜି ଦଲାଇଲାମା ବାର୍ତ୍ତା ଜାରି କରିଛନ୍ତି। ରେଡିଓ ଫ୍ରି ଏସିଆ ଅନୁଯାୟୀ, ଦଲାଇଲାମା ପୃଥିବୀର ସବୁଠାରୁ ଜନବହୁଳ ମହାଦେଶ ପାଇଁ ଆସିବାକୁ ଥିବା ବିପଦ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ତିବ୍ଦତର ପରିବେଶ ତଥା ବିଶ୍ୱ ଜଳବାୟୁ ସଙ୍କଟ ଉପରେ ଅଧିକ ଧ୍ୟାନ ଦେବାକୁ କହିଥିଲେ।

ଦଲାଇଲାମା କହିଛନ୍ତି, ଏସିଆରେ ତିବ୍ଦତ ହେଉଛି ଜଳର ସବୁଠାରୁ ବଡ ଉତ୍ସ। ସମସ୍ତ ପ୍ରମୁଖ ନଦୀ, ପାକିସ୍ତାନର ସିନ୍ଧୁ ନଦୀ, ଭାରତର ଗଙ୍ଗା ଏବଂ ବ୍ରହ୍ମପୁତ୍ର, ଚାଇନାର ୟେଲୋ ନଦୀ, ଭିଏତନାମର ମେକୋଙ୍ଗ ନଦୀ ତିବ୍ଦତ ଦେଇ ପ୍ରବାହିତ ହେଉଛି। ତିବ୍ଦତରୁ ନିର୍ବାସିତ ହେବା ପରେ ଦଶନ୍ଧି ଧରି ଭାରତରେ ରହୁଥିବା ଦଲାଇଲାମା କହିଛନ୍ତି ଯେ ତିବ୍ଦତର ପରିବେଶକୁ ବଞ୍ଚାଇବା ପାଇଁ ଆମକୁ ଅଧିକ ଧ୍ୟାନ ଦେବା ଉଚିତ୍।

ଏହା କେବଳ ୬୦-୭୦ ଲକ୍ଷ ତିବ୍ଦତୀୟ ନୁହେଁ ବରଂ ଏହି ଅଞ୍ଚଳର ସମସ୍ତ ଲୋକଙ୍କ ସ୍ୱାର୍ଥରେ ଅଛି। ଚୀନର ୧୪୦ ନିୟୁତ ଜନସଂଖ୍ୟା, ୧୩୦ ନିୟୁତ ଭାରତୀୟ, ୧୭୫ ନିୟୁତ ଦକ୍ଷିଣ ପୂର୍ବ ଏସୀୟ, ପାକିସ୍ତାନ ଏବଂ ବାଂଲାଦେଶର ଲକ୍ଷ ଲକ୍ଷ ଲୋକ ନଦୀ ଜଳ ଉପରେ ନିର୍ଭର କରନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ମାସରେ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦର ୪୮ ତମ ଅଧିବେଶନରେ ତିବ୍ଦତରେ ଅଧିକାରର ଉଲ୍ଲଂଘନ ପାଇଁ ଚୀନ୍‌କୁ ତାଗିଦ କରାଯାଇଥିଲା। ଆମେରିକା, ଡେନମାର୍କ, ଜର୍ମାନୀ ଏବଂ ୟୁରୋପୀୟ ୟୁନିଅନର ପ୍ରତିନିଧୀମାନେ ତିବ୍ଦତରେ ଚୀନ୍ ସରକାର ଲଗାଇଥିବା ଧାର୍ମିକ, ଭାଷା, ସାଂସ୍କୃତିକ ପ୍ରତିବନ୍ଧକକୁ ନେଇ ଉଦବେଗ  ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର