ଶିକ୍ଷକଙ୍କ ପାତ୍ରରୁ ପାଣି ପିଇବାରୁ ମାଡ଼ ଖାଇଥିବା ଦଳିତ ବାଳକ ମୃତ

ଜୟପୁର: ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ପାତ୍ରରୁ ପାଣି ପିଇ ମାଡ଼ ଖାଇବାଥିବା ରାଜସ୍ଥାନୀ ଦଳିତ ସମ୍ପ୍ରଦାୟର ଜଣେ ୯ ବର୍ଷିୟ ବାଳକର ଶନିବାର ଦିନ ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି।

ପୁଲିସ ଉକ୍ତ ସ୍କୁଲ୍‌ ଶିକ୍ଷକଙ୍କୁ ଗିରଫ କରି ତାଙ୍କ ବିରୋଧରେ ନରହତ୍ୟା ଅଭିଯୋଗ ଦାଏର କରିଛି। ରାଜ୍ୟ ଶିକ୍ଷା ବିଭାଗ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ଜାଲୋର୍‌ ଜିଲ୍ଲା ଅନ୍ତର୍ଗତ ସେଲା ଗାଁର ଘରୋଇ ସ୍କୁଲ୍‌ରେ ଜୁଲାଇ ୨୦ ତାରିଖ ଦିନ ଘଟିଥିଲା। ଶିକ୍ଷକଙ୍କଠାରୁ ମାଡ଼ ଖାଇ ଆଖି ଓ କାନରେ ଆଘାତ ପାଇଥିବା ସେ ପିଲାକୁ ଚିକିତ୍ସା ନିମନ୍ତେ ୩୦୦ କିଲୋମିଟର୍‌ ଦୂର ଅହମଦାବାଦକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

Image Courtesy of Tribune India

ଛାତ୍ର ମୃତ୍ୟୁ ଯୋଗୁଁ ପରିସ୍ଥିତି ଉତ୍ତେଜନା ହେବା ଆଶଙ୍କା ଥିବାରୁ ସେ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ସେବା ବାତିଲ କରାଯାଇଛି। ମୃତ ଛାତ୍ରର ଶବ ବ୍ୟବଚ୍ଛେଦ କରାଇବାକୁ ରାଜସ୍ଥାନ ପୁଲିସ ଟିମ୍‌ ମଧ୍ୟ ଅହମଦାବାଦ ଯାଇଛି।

ପିଲାର ବାପା ଦେୱରାମ୍‌ ମେଘୱାଲ୍‌ କହନ୍ତି, ତାଙ୍କ ପାଇଁ ଉଦ୍ଦିଷ୍ଟ ପାତ୍ରରୁ ପାଣି ପିଇବାରୁ ଶିକ୍ଷକ ଚୈଲ୍‌ ସିଂହ ମୋ ପୁଅକୁ ମାରିବା ସହ ଜାତିଆଣା ଗାଳି ଦେଇଥିଲେ। ଶିକ୍ଷକଙ୍କ ମାଡ଼‌ରେ ପୁଅର ମସ୍ତିଷ୍କରେ ଆଘାତ ଲାଗିଲା। ଚିକିତ୍ସା ନିମନ୍ତେ ମୁଁ ତାକୁ ଉଦୟପୁର ନେଇଥିଲି ଏବଂ ସେଠାରୁ ଅହମଦାବାଦ୍ ନେଲି। ଅହମଦାବାଦ୍‌ରେ ତା’ର ମୃତ୍ୟୁ ଘଟିଲା।

ଘଟଣା ସଂକ୍ରାନ୍ତରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ ଟୁଇଟ୍‌ କରି କହିଛନ୍ତି, ମୃତ ପିଲାର ପରିବାରବର୍ଗଙ୍କ ପ୍ରତି ତୁରନ୍ତ ବିଚାର ହେବ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ପିଲାର ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର