ପୁନେରେ ଅମାନବୀୟ କାଣ୍ଡ : ପ୍ରେମ ପାଇଁ ଦଳିତ ଯୁବକଙ୍କୁ ପଥର ଛେଚି ହତ୍ୟା

ପୁନେ : ମହାରାଷ୍ଟ୍ରର ପୁନେରେ ଅତ୍ୟନ୍ତ ଅମାନବୀୟ ଘଟଣା ଘଟିଛି। ଜଣେ ଦଳିତ ଯୁବକ ଉଚ୍ଚ ଜାତିର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିବାରୁ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ୨୦ ବର୍ଷୀୟ ଯୁବକଙ୍କୁ ପ୍ରେମିକାଙ୍କ ପରିବାର ଲୋକ ଲୁହା ରଡ୍‌ରେ ପିଟିବା ସହ ପଥରରେ ଛେଚି ମାରି ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସମ୍ପୃକ୍ତ ଘଟଣାରେ ୬ ଜଣ ଗିରଫ ହୋଇଛନ୍ତି ଏବଂ ସେମାନଙ୍କୁ ପୁଲିସ ୭ ଦିନପାଇଁ ରିମାଣ୍ଡ୍‌ରେ ନେଇଛି।

ମୃତ ଦଳିତ ଯୁବକଙ୍କ ନାମ ବିରାଜ ବିଳାସ ଜଗତପ। ସେ ଜଣେ ଉଚ୍ଚ ଜାତିର ଝିଅଙ୍କୁ ଭଲ ପାଉଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହିଥିଲେ। କିନ୍ତୁ ଝିଅ ଘର‌ ଲୋକ ସେମାନଙ୍କ ସମ୍ପର୍କକୁ ବିରୋଧ କରିଥିଲେ। ବିରାଜଙ୍କ ଭାଇ ସାଗର ଜଗତପଙ୍କ କହିବାନୁଯାୟୀ ୭ ତାରିଖ ରାତି ପ୍ରାୟ ୯ଟା ସମୟରେ ବିରାଜ୍‌ଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଝିଅ ଘର ଲୋକ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା ପାଇଁ ସେମାନଙ୍କ ଘରକୁ ଡାକିଥିଲେ। ବିରାଜ ତାଙ୍କ ମୋଟରବାଇକ୍‌ ଧରି ଝିଅ ଘରେ ପହଞ୍ଚିଥିଲେ। ସେଠାରେ ବିରାଜ୍‌ଙ୍କୁ ଝିଅ ଘର ଲୋକେ ଖୁବ୍‌ ଅପମାନ ଦେଇଥିଲେ ଏବଂ ତାଙ୍କ ଜାତିକୁ ଆଧାର କରି ଅପମାନଜନକ ମନ୍ତବ୍ୟ ରଖିଥିଲେ। ବିରାଜ୍‌ ଏହା ସହିନପାରି ତାଙ୍କ ଘର ଛାଡ଼ିଦେଇଥିଲେ। ତେବେ ବିରାଜ ଫେରୁଥିବାବେଳେ ଝିଅର ଜଣେ ସମ୍ପର୍କୀୟ ତାଙ୍କ ବାଇକ୍‌କୁ ‌ଟେମ୍ପୋରେ ଧକ୍କା ଦେଇଥିଲେ। ସେ ତଳେ ପଡ଼ି ଯାଇଥିଲେ। ବିରାଜ୍‌ ଉଠିବାକୁ ଚେଷ୍ଟା କରୁଥିବା ବେଳେ ଝିଅର କିଛି ସମ୍ପର୍କୀୟ ତାଙ୍କୁ ଲୁହା ରଡ୍‌ରେ ପିଟିଥିଲେ ଏବଂ ପଥରରେ ଛେଚିଥିଲେ। ବିରାଜ୍‌ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ଝିଅର ବାପା ତାଙ୍କ କଥା ଶୁଣିନଥିଲେ ଓ ତାଙ୍କୁ ନିର୍ମମ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର