ଓଡ଼ିଆ ଝିଅ ନିତ୍ୟାଙ୍କର ନୃତ୍ୟରେ ଝୁମିଲେ ଦିଲ୍ଲୀବାସୀ

ନୂଆଦିଲ୍ଲୀ : ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ନିତ୍ୟା ଖଣ୍ଡେଲୱାଲଙ୍କର ମନଲୋଭା ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନରେ ଦିଲ୍ଲୀର ଦର୍ଶକମାନେ ମନ୍ତ୍ରମୁଗ୍ଧ ହେବା ସହିତ ତାଙ୍କର ଘୁଙ୍ଗୁରର ତାଳେ ତାଳେ ହଜ୍ଜି-ମଜ୍ଜି ଝୁମିବାରେ ଲାଗିଥିବାର ଲକ୍ଷ୍ୟ କରାଯାଇଥିଲା। ନିକଟରେ ଡେନମାର୍କଠାରେ ଅବସ୍ଥାପିତ ଓଡ଼ିଆ ଝିଅ ନିତ୍ୟା ଜାତୀୟ ରାଜଧାନୀର ତ୍ରିବେଣୀ କଳା ସଙ୍ଗମଠାରେ ତାଙ୍କର ମଞ୍ଚ ପ୍ରବେଶ ନୃତ୍ୟ କାର୍ଯ୍ୟକ୍ରମ ‘ଅରଂଗେତ୍ରମ’ ପରିବେଷଣ କରିଥିଲେ। ନିତ୍ୟାଙ୍କର ରସ ଓ ଲାସ୍ୟ ଭରା ନୃତ୍ୟ ପ୍ରସ୍ତୁତି, ତାଙ୍କର ଅନନ୍ୟ ପ୍ରତିଭା ଏବଂ ଅଜସ୍ର ପାରଦର୍ଶିତାର ସ୍ୱାକ୍ଷର ବହନ କରୁଥିଲା । ଖଚାଖଚ୍‌ ଭରି ଥିବା ତ୍ରିବେଣୀ ପ୍ରେକ୍ଷାଳୟରେ ଦର୍ଶକମାନେ ତାଙ୍କର ପ୍ରତ୍ୟେକ ପ୍ରସ୍ତୁତିକୁ ମନଭରି ଉପଭୋଗ କରିବା ସାଙ୍ଗକୁ ତାଳିର ଗହଗହ ନାଦରେ ତାଙ୍କୁ ସ୍ୱାଗତ କରୁଥିବା ଦେଖାଯାଇଥିଲା। ନିତ୍ୟାଙ୍କର ରଙ୍ଗମଞ୍ଚ ଉପରେ ଏହି ପ୍ରଥମ ଏକକ ନୃତ୍ୟ ପରିବେଷଣ, ଉଭୟ ସାଧାରଣ କଳା ପ୍ରେମୀ ଏବଂ ସଂସ୍କୃତି ସମାଲୋଚକମାନଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇଥିବା ଜଣାଯାଇଛି ।


ପରମ୍ପରା ଅନୁଯାୟୀ ପ୍ରାରମ୍ଭରେ ନିତ୍ୟା ତାଙ୍କର ଗୁରୁ ରଶ୍ମୀ ରାଉତ ଜୟସ୍ୱାଲଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ଗୁରୁ ଶ୍ରୀମତୀ ରାଉତ ତାଙ୍କ ହାତରେ ଘୁଙ୍ଗୁର ଅର୍ପଣ କରି ତାଙ୍କୁ ଶୁଭକାମନା ଜଣାଇଥିଲେ । ‘ପୁଷ୍ପାଞ୍ଜଳି’ ଶୀର୍ଷକ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଭଗବାନ ନଟରାଜଙ୍କ ବକନାକୁ ଆଧାରିତ ଥିଲା । ଏହା ପରେ ଆଲ୍ଲାରିପୁ, ଯଥିସ୍ୱରମ୍‌, ଶବମ, ବର୍ଣ୍ଣମ୍‌, ରାମ ଭଜନ, ଦେବର ନାମ ଏବଂ ତିଲାନା ଆଦି ନୃତ୍ୟ ସଂଯୋଜନା ପରିବେଷଣ କରାଯାଇଥିଲା । ତିନି ଘଣ୍ଟା ଧରି ଲଗାତାର ପ୍ରଦର୍ଶନର ପରିସମାପ୍ତି ଶାନ୍ତି ଶ୍ଲୋକ ଦ୍ୱାରା ହୋଇଥଲା। ଏଠାରେ ନୃତ୍ୟଶିଳ୍ପୀ ନିଜର ଆତ୍ମାକୁ ପରମାତ୍ମା ସହିତ ବିଲୟ କରିବାକୁ ପ୍ରୟାସ କରିବା ଏବଂ ସମସ୍ତଙ୍କର ଶାନ୍ତି ଓ ସଦ୍‌ଗତି ଉଦେ୍ଦଶ୍ୟରେ ପ୍ରାର୍ଥନା କରିବା, ସମଗ୍ର ପରିବେଶକୁ ଭାବବିହ୍ୱଳ, ଭକ୍ତିପୂତ ଏବଂ ଆଧ୍ୟାତ୍ମିକ ଉତ୍ସ୍ୱାସରେ ଉଦବୁଦ୍ଧ କରିବା ସହିତ ଦର୍ଶକମାନଙ୍କୁ ଐଶ୍ୱରିକ ସକ୍ଷ୍ଣାର ଆସ୍ୱାଦନ ଏବଂ ଅମୃତ ଆନକର ସେବନ କଲାଭଳି ଅଲୌକିକ ଅନୁଭୂତି ପ୍ରଦାନ କରିଥିଲା। ନିତ୍ୟାଙ୍କର ପ୍ରତ୍ୟେକ ପ୍ରସ୍ତୁତି ଯଥେଷ୍ଟ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ଥିଲା । ବିଶେଷକରି ଶୁଇ ନୃତ୍ୟ ତିଲାନା ମଞ୍ଚସ୍ଥ କରିବା ସମୟରେ ତାଙ୍କର ବୈଦ୍ୟୁତିକ ପଦଚାଳନା ବେଶ୍‌ ପ୍ରଶଂସନୀୟ ଥିଲା । ସେହିପରି ବର୍ଣ୍ଣମ୍‌, ରାମ ଭଜନ ଏବଂ ଦେବର ନାମ ଆଦି ଅଭିନୟ ଧର୍ମୀ ସଂରଚନା ମାନଙ୍କରେ ନିତ୍ୟା ଙ୍କର ଜୀବନ୍ତ ଓ ନିଖୁଣ ମୁଖାଭିନୟ ଏବଂ ଅସାମାନ୍ୟ ଭୃକୁଞ୍ଚନ ଦେଖଣାହାରିମାନଙ୍କୁ ବିଭୋର କରିଦେଇଥିଲା ।

ମାତ୍ର ପାଞ୍ଚ ବର୍ଷ ବୟସରୁ ନିତ୍ୟା ଦିଲ୍ଲୀଠାରେ ଗୁରୁ ଶ୍ରୀମତୀ ରାଉତଙ୍କ ଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ଭଦ୍ରକ ଜିଲ୍ଲାର ଇରମ ନିବାସୀ ସଞ୍ଜୀବ ଖଣ୍ଡେଲୱାଲ ତାଙ୍କର ପିତା ଏବଂ ଚଣ୍ଡୀଗଡ଼ ବାସିକା ସିପ୍ରା ଖଣ୍ଡେଲୱାଲ ତାଙ୍କର ମାତା ଅଟନ୍ତି। ନିତ୍ୟାଙ୍କର ଲାଳନ ପାଳନ ଦିଲ୍ଲୀ ଓ ଡେନମାର୍କରେ ହୋଇଛି। ଆଠ ବର୍ଷ ତଳେ ଖଣ୍ଡେଲୱାଲ୍‌ ପରିବାର ଭାରତରୁ ଡେନମାର୍କକୁ ସ୍ଥାନାନ୍ତରିତ ହୋଇଥିଲେ। ଏହି ସ୍ଥାନାନ୍ତରିକରଣ ନିତ୍ୟାଙ୍କ ସାମ୍ନାରେ ନୃତ୍ୟ ଶିକ୍ଷାକୁ ଜାରି ରଖିବା ନେଇ ସବୁଠୁ ବଡ଼ ସମସ୍ୟା ଉପୁଜାଇଥିଲା। ମହାଦେଶ ପାରି ଦୂରତ୍ୱ ସ୍ୱାଭାବିକଭାବେ ତାଙ୍କ ପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା। କିନ୍ତୁ ନୃତ୍ୟ ପ୍ରତି ତାଙ୍କର ପ୍ରଗାଢ଼ ଶ୍ରଦ୍ଧା, ନିଷ୍ଠା ଏବଂ ଏକନିଷ୍ଠ ପ୍ରତିବଦ୍ଧତା ଅବଶେଷରେ ତାଙ୍କୁ ବିଜୟୀ କରିଥିଲା। ବିକଳ୍ପ ବ୍ୟବସ୍ଥା ଭାବରେ ନିତ୍ୟା, ଗୁରୁ ଶ୍ରୀମତୀ ରାଉତଙ୍କଠାରୁ ଅନଲାଇନ୍‌ ଯୋଗେ ତାଲିମ ନେବା ଆରମ୍ଭ କରିଥିଲେ ଏବଂ ଏହାକୁ ନିୟମିତ ଭାବେ ଚାଲୁ ରଖିଥିଲେ। ଦୀର୍ଘ ଆଠବର୍ଷର ଏହି ନିରଳସ ଡିଜିଟାଲ ତପସ୍ୟା ଏବଂ ଉତ୍ସର୍ଗୀକୃତ ସାଧନାରୁ ପ୍ରାପ୍ତ ସିଦ୍ଧି ତଥା ସୁଫଳର ଚାକ୍ଷୁସ ପ୍ରମାଣ, ତ୍ରିବେଣୀ ପ୍ରେକ୍ଷାଳୟରେ ସେଦିନର ଅସାଧାରଣ ଏବଂ ଅବିସ୍ମରଣୀୟ ନୃତ୍ୟ ପ୍ରଦର୍ଶନରୁ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ଗ୍ରୀସ, ସ୍ୱିଡେନ ଏବଂ ଡେନମାର୍କ ଆଦି ଦେଶରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଉତ୍ସବମାନଙ୍କରେ ନିତ୍ୟା ତାଙ୍କର କଳା ଚାତୁର୍ଯ୍ୟ ପ୍ରଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି।


ଯନ୍ତ୍ରସଙ୍ଗୀତରେ ବିଶିଷ୍ଟ କଳାକାର ବୃକ ଯଥା ନଟ୍ଟୁ ୱଙ୍ଗମରେ ଗୁରୁ ରଶ୍ମୀ ରାଉତ ଜୟସ୍ୱାଲ, କଣ୍ଠ ସଙ୍ଗୀତରେ ଭେଙ୍କଟେଶ୍ୱରନ୍‌ କୁପୁସ୍ୱାମୀ, ମୃଦଙ୍ଗରେ ପ୍ରଜେଶ ଚକ୍ରନ, ଘଟମରେ ବରୁଣ ରାଜଶେଖରନ, ବେହେଲାରେ ଚେମ୍ବାଇ ଆର ଶ୍ରୀନିବାସ ଏବଂ ବଂଶୀରେ ଅନୁରାଗ ରସ୍‌ତୋଗୀ ପ୍ରମୁଖ ସହଯୋଗ କରିଥିଲେ। ଦିବ୍ୟା ମେହେଟ୍ଟା ସମଗ୍ର କାର୍ୟ୍ୟକ୍ରମକୁ ସୁଚାରୁ ରୂପେ ଉପସ୍ଥାପନା କରିଥିଲେ। ନିମିସା ସିଙ୍ଗଲା ସାଂସ୍କୃତିକ ଅଧିବେଶନର ସୁସଂଯୋଜନା କରିଥିଲେ। ପ୍ରସିଦ୍ଧ ରୂପସଜ୍ୟାବିତ ବ୍ରିଜ ମୋହନ ନୃତ୍ୟାଙ୍ଗନାଙ୍କର ମୁଖ ବିନ୍ୟାସ କରିଥିଲେ। ବରିଷ୍ଠ ପ୍ରଶାସକ ଦବେକ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୃତ୍ୟ ପ୍ରଦର୍ଶନକୁ ଉଦଘାଟନ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ଖଣ୍ଡେଲୱାଲ (ଟୁଙ୍ଗୱାଲେ), ନରେଶ ରାୱତ, କମଲ ମାଲହି, ପ୍ରଦୀପ ଖଣ୍ଡେଲୱାଲ୍‌, ଡଲି ଖଣ୍ଡେଲୱାଲ୍‌ ଓ ସନ୍ତୋଷ ରାଉତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ସମ୍ବନ୍ଧିତ ଖବର