ପିଏସିର ଉଦ୍‌ବେଗ, ଦେଶରେ ପର୍ଯ୍ୟାପ୍ତ ହାଲୁକା ଯୁଦ୍ଧ ବିମାନ ନାହିଁ

ସୁରକ୍ଷା ପାଇଁ ବିପଦ

ନୂଆଦିଲ୍ଲୀ: ପବ୍ଲିକ୍ ଆକାଉଣ୍ଟ୍‌ସ କମିଟି (ପିଏସି) ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦେଶର ସୁରକ୍ଷା ସଂକ୍ରାନ୍ତ ଏକ ରିପୋର୍ଟରେ ପର୍ଯ୍ୟାପ୍ତ ହାଲୁକା ଯୁଦ୍ଧ ବିମାନ (ଏଲ୍‌ସିଏ) ନଥିବାରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଦେଶର ସୁରକ୍ଷା ଦୃଷ୍ଟିରୁ ଏଲ୍‌ସିଏ ଅତି ଜରୁରୀ ଥିଲେ ମଧ୍ୟ ଏହାର କ୍ରୟ କିମ୍ବା ନିର୍ମାଣ ପାଇଁ ସମୁଚିତ ଧ୍ୟାନ ଦିଆଯାଇ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍‌କୁ ନେଇ ବିବାଦ ଜାରି ରହିଥିବା ବେଳେ ପିଏସିର ଏହି ରିପୋର୍ଟ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ୍‌ ଖଡ଼ଗେ ପିଏସିର ଅଧ୍ୟକ୍ଷ ଅଛନ୍ତି ଏବଂ ରାଫେଲ୍‌ ବିବାଦରେ ମଧ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ହାଲୁକା ଯୁଦ୍ଧ ବିମାନ ଯଥାଶୀଘ୍ର ସେନାକୁ ଉପଲବ୍ଧ କରାଇବା ପାଇଁ ପଦକ୍ଷେପ ନେବାକୁ ପିଏସି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପିଏସିରେ ବିଜେପି ଓ କଂଗ୍ରେସ ବ୍ୟତୀତ ଟିଏମ୍‌ସି, ବିଜେଡି, ଶିରୋମଣି ଅକାଳି ଦଳ, ଶିବସେନାର ୨୨ ଜଣ ସଦସ୍ୟ ରହିଛନ୍ତି। ବାୟୁସେନାର ବର୍ତ୍ତମାନ ସ୍ଥିତି ନେଇ ପିଏସି ରିପୋର୍ଟରେ ଉଦ୍‌ବେଗ ପ୍ରକାଶ କରାଯିବା ସହ ବିଗତ ୩୦ ବର୍ଷ ମଧ୍ୟରେ ସ୍ବଦେଶୀ ହାଲୁକା ଯୁଦ୍ଧ ବିମାନ ନିର୍ମାଣରେ ଦେଶକୁ ପର୍ଯ୍ୟାପ୍ତ ସଫଳତା ମିଳିନାହିଁ ବୋଲି କୁହାଯାଇଛି। ଏ କ୍ଷେତ୍ରରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)ର ବିଫଳତା ମଧ୍ୟ ଚିନ୍ତାଜନକ ବୋଲି କୁହାଯାଇଛି। ପିଏସି ରିପୋର୍ଟରେ ପୁରୁଣା ମିଗ୍‌-୨୧ ଏବଂ ମିଗ୍‌-୨୭ ବିମାନକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏହାର ବିକଳ୍ପ ଭାବେ ସ୍ବଦେଶୀ ହାଲୁକା ଯୁଦ୍ଧ ବିମାନ ଭାରତରେ ପ୍ରସ୍ତୁତ କରି ବାୟୁସେନାକୁ ଯୋଗାଇଦେବା କିମ୍ବା ବିଶେଷଜ୍ଞ କମିଟି ଦ୍ବାରା ବିଦେଶରୁ କ୍ରୟ କରିବାକୁ ପିଏସି ପରାମର୍ଶ ଦେଇଛି। ଭାରତ ସରକାର ୧୯୮୩ରେ ଏଲ୍‌ସିଏର ବିକାଶ ଓ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଥିଲେ। ଭାରତୀୟ ବାୟୁସେନା ପାଇଁ ୪୨ ସ୍କ୍ବାଡ୍ରନ୍‌ ମଞ୍ଜୁର ହୋଇଥିଲେ ମଧ୍ୟ ‌ଏବେ ୩୫ ସ୍କ୍ବାଡ୍ରନ୍‌ ରହିଛି। ପିଏସି ରିପୋର୍ଟରେ କୁହାଯାଇଛି ଯେ ମିଗ୍‌-୨୧ ଓ ମିଗ୍‌-୨୭ ଶ୍ରେଣୀର ସମସ୍ତ ବିମାନ ଆଗାମୀ ୧୦ ବର୍ଷ ଭିତରେ ବ୍ୟବହାର ଅନୁପଯୋଗୀ ହୋଇପଡ଼ିବ।

ସମ୍ବନ୍ଧିତ ଖବର