ନୂଆଦିଲ୍ଲୀ: ବୋଇଂ ୭୩୭ ବିମାନରେ ବିପଦ ଥିବା ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏୟାରଲାଇନ୍ଗୁଡ଼ିକୁ ସତର୍କ କରାଇଛନ୍ତି। ଏହି ବିମାନଗୁଡ଼ିକରେ କଲିନ୍ସ ଏରୋସ୍ପେସ୍ ରଡର୍ ଜାମିଂ ବିପଦ ରହିଛି। ତେଣୁ ବିପଦର ଅନୁଶୀଳନ କରିବା ଏବଂ ପାଇଲଟ୍ମାନଙ୍କୁ ସ୍ବତନ୍ତ୍ର ରଡର୍ ନିୟନ୍ତ୍ରଣ ଲାଗି ତାଲିମ ଦେବାକୁ ଏହା ଏୟାରଲାଇନ୍ଗୁଡ଼ିକୁ କହିଛି। ଭାରତରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଆକାଶ ଓ ସ୍ପାଇସ୍ଜେଟ୍ ପକ୍ଷରୁ ବୋଇଂ ୭୩୭ ବିମାନ ବ୍ୟବହାର କରାଯାଉଛି। କିଛି ପ୍ରାଇଭେଟ୍ ଅପରେଟର୍ ମଧ୍ୟ ଏହି ଧରଣର ବିମାନ ରଖିଛନ୍ତି। ଆମେରିକା ତରଫରୁ ପରାମର୍ଶବଳୀ ଜାରି କରାଯିବା ପରେ ଡିଜିସିଏ ଏୟାରଲାଇନ୍ଗୁଡ଼ିକୁ ସତର୍କ କରାଇଛି। କଲିନ୍ସ ଏରୋସ୍ପେସ୍ର ରଡର୍ ବ୍ୟବସ୍ଥାରେ ଦେଖାଦେଇଥିବା ସମସ୍ୟାକୁ ନେଇ ଡିଜିସିଏ କେତେକ ସୁପାରିସ୍ କରିଛି। ଏକ ସର୍କୁଲାର ଜାରି କରି କ୍ରୁ ସଦସ୍ୟମାନଙ୍କୁ ସେବିଷୟରେ ଅବଗତ କରିବାକୁ କୁହାଯାଇଛି। ସମ୍ଭାବ୍ୟ ବିପଦକୁ କ୍ରୁ ସଦସ୍ୟମାନେ ଯେଭଳି ଚିହ୍ନଟ କରି ମୁକାବିଲା କରିପାରିବେ ସେଥିପାଇଁ ସେମାନଙ୍କୁ ଆଗୁଆ ଜଣାଇବାକୁ କୁହାଯାଇଛି। ରଡର୍ କଣ୍ଟ୍ରୋଲ୍ ସିଷ୍ଟମ୍ରେ ଥିବା ବିପଦର ମୁକାବିଲା ଲାଗି ବିମାନଗୁଡ଼ିକର ସୁରକ୍ଷା ଯାଞ୍ଚ କରିବାକୁ କୁହାଯାଇଛି। ତାଲିମ ଅଧିବେଶନଗୁଡ଼ିକର ବିଷୟରେ ରଡର୍ କଣ୍ଟ୍ରୋଲ୍ ସିଷ୍ଟମ୍ ସମସ୍ୟାକୁ ନିଶ୍ଚିତ ରୂପେ ସାମିଲ କରିବାକୁ ଏୟାରଲାଇନ୍ଗୁଡ଼ିକୁ କୁହାଯାଇଛି। କୌଣସି ବିପଦ ଦେଖାଦେଲେ ତାହାର କିଭଳି ମୁକାବିଲା କରାଯିବ ସେ ନେଇ କ୍ରୁ ସଦସ୍ୟମାନଙ୍କୁ ଅଭ୍ୟାସ କରାଇବା ଲାଗି ମଧ୍ୟ ଡିଜିସିଏ କହିଛି।
ସୁରକ୍ଷା ଦୃଷ୍ଟିରୁ ବୋଇଂ ୩୭୩ ବିମାନ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ବିଚାର କରାଯାଉଛି। ଏହି ବିମାନକୁ ନେଇ ସାରା ବିଶ୍ବରେ କିଛି ଭୟଙ୍କର ଦୁର୍ଘଟଣା ଘଟିଥିଲା। ୨୦୧୮ରେ ଇଣ୍ଡୋନେସିଆ ଜକାର୍ତାରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ଲାୟନ ଏୟାର୍ର ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଯାତ୍ରା କରୁଥିବା ୧୮୯ ଜଣ ଯାତ୍ରୀଙ୍କ ମୃତ୍ୟୁ େହାଇଥିଲା। ୧୯୬୯ରେ ଏହି ବିମାନକୁ ବୋଇଂ ପକ୍ଷରୁ ପ୍ରଚଳନ କରାଯିବା ପରଠାରୁ ତାହା ଥିଲା ସବୁଠାରୁ ଭୟଙ୍କର ଦୁର୍ଘଟଣା। ସେହିପରି ୨୦୧୯ରେ ଇଥିଓପିଆରୁ ଉଡ଼ାଣ ଆରମ୍ଭ କରିଥିବା ବୋଇଂ ୭୩୭ ମ୍ୟାକ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାଗୁଡ଼ିକ ପରେ ସାରା ବିଶ୍ବର ବିମାନ ଚଳାଚଳ କର୍ତ୍ତୃପକ୍ଷ ୭୩୭ ମ୍ୟାକ୍ସ ବିମାନଗୁଡ଼ିକର ଉଡ଼ାଣ ଉପରେ କଟକଣା ଲଗାଇଥିଲେ। ଦୀର୍ଘଦିନ ଦରି ବିମାନଗୁଡ଼ିକର ଉଡ଼ାଣ ବନ୍ଦ ରହିବା କାରଣରୁ ଏୟାରଲାଇନଗୁଡ଼ିକ ଅସୁବିଧା ସାମ୍ନା କରିଥିବା ବେଳେ ବୋଇଂକୁ ବିପୁଳ କ୍ଷତି ସହିବାକୁ ପଡ଼ିଥିଲା। ତେବେ ଆମେରିକା କର୍ତ୍ତୃପକ୍ଷ ତଦନ୍ତ କରିବାର ବହୁଦିନ ପରେ ବିମାନଗୁଡ଼ିକୁ ପୁନଃ ଉଡ଼ାଣର ଅନୁମତି ମିଳିଥିଲା। କିନ୍ତୁ ନିୟମିତ ବ୍ୟବଧାନରେ ୭୩୭ ବିମାନକୁ ନେଇ କିଛି ନା କିଛି ଅଘଟଣ ଘଟୁଥିବା ଖବର ସାମ୍ନାକୁ ଆସୁଛି।