ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଏବଂ ଦିଲ୍ଲୀ ପୁଲିସର ମିଳିତ ଅପରେସନରେ ଦିଲ୍ଲୀ-ଏନ୍ସିଆରରେ ଏକ ଗୁପ୍ତ ମେଥାମ୍ଫେଟାମିନ ଉତ୍ପାଦନ ପରୀକ୍ଷାଗାର ଠାବ କରାଯାଇଛି। ଏହି ଲ୍ୟାବ୍ ମେଥାମ୍ଫେଟାମିନ ଭଳି ବିପଜ୍ଜନକ ତଥା ସିନ୍ଥେଟିକ୍ ନିଶା ଔଷଧ ତିଆରି କରି ଅନ୍ୟ ଦେଶକୁ ରପ୍ତାନି କରିବା ସହିତ ଭାରତରେ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ଥିଲା। ମେକ୍ସିକାନ ସିଜେଏନ୍ଜି ଡ୍ରଗ୍ସ କାର୍ଟେଲ (କାର୍ଟେଲ ଡି ଜାଲିସ୍କୋ ନୁଏଭା ଜେନେରେସିଓନ) ମଧ୍ୟ ଏଥିରେ ସମ୍ପୃକ୍ତ ଥିଲା।
ଗୌତମବୁଦ୍ଧ ନଗର ଜିଲ୍ଲାର କାସାନା ଶିଳ୍ପାଞ୍ଚଳରେ ଏହି ଲ୍ୟାବ୍ ଅବସ୍ଥିତ। ଚଢ଼ାଉକାରୀ ଦଳ କଠିନ ଓ ତରଳ ଆକାରରେ ପ୍ରାୟ ୯୫ କେଜି ମେଥାମ୍ଫେଟାମିନ ପାଇଥିଲେ। ଏସିଟୋନ୍, ସୋଡିୟମ୍ ହାଇଡ୍ରୋକ୍ସାଇଡ୍, ମିଥାଇଲିନ୍ କ୍ଲୋରାଇଡ୍, ପ୍ରିମିୟମ୍ ଗ୍ରେଡ୍ ଇଥାନଲ୍, ଟୋଲୁଇନ୍, ଲାଲ୍ ଫସ୍ଫରସ୍, ଇଥାଇଲ୍ ଏସିଟେଟ୍ ଇତ୍ୟାଦି ରାସାୟନିକ ପଦାର୍ଥ ଏବଂ ଉତ୍ପାଦନ ପାଇଁ ଆମଦାନୀ ଯନ୍ତ୍ରପାତି ମଧ୍ୟ ମିଳିଥିଲା।
ଚଢ଼ଉ ସମୟରେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ କାରଖାନା ଭିତରେ ଦେଖିବାକୁ ମିଳିଥିବା ବେଳେ ତିହାର ଜେଲର ଜଣେ ୱାର୍ଡେନ୍ ଏହି ବେଆଇନ କାରଖାନା ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଏନ୍ସିବି କହିଛି। ପୂର୍ବରୁ ଏନ୍ଡିପିଏସ୍ ମାମଲାରେ ରାଜସ୍ୱ ଗୁଇନ୍ଦା ବିଭାଗ (ଡିଆର୍ଆଇ) ଏହି ବ୍ୟବସାୟୀଙ୍କୁ ଗିରଫ କରି ତିହାର ଜେଲରେ ରଖିଥିଲା ଯେଉଁଠାରେ ସେ ସମ୍ପୃକ୍ତ ଜେଲ ୱାର୍ଡେନଙ୍କ ସଂସ୍ପର୍ଶରେ ଆସିଥିଲେ।
ମୁମ୍ବାଇର ଜଣେ ରସାୟନ ବିଜ୍ଞାନୀ ଏହି ଔଷଧ ତିଆରି ଦାୟିତ୍ୱରେ ଥିଲେ ଏବଂ ଦିଲ୍ଲୀରେ ରହୁଥିବା ମେକ୍ସିକୋ କାର୍ଟେଲର ଜଣେ ସଦସ୍ୟ ଏହି ଔଷଧର ଗୁଣବତ୍ତା ପରୀକ୍ଷା କରୁଥିଲେ ବୋଲି ଏନ୍ସିବି କହିଛି। ଡିଡିଜି (ଅପରେସନ) ଜ୍ଞାନେଶ୍ୱର ସିଂହଙ୍କ ସ୍ୱାକ୍ଷରିତ ବିଜ୍ଞପ୍ତି ଅନୁଯାୟୀ, ଚଳିତ ବର୍ଷ ଏନ୍ସିବି ଗୁଜରାଟର ଗାନ୍ଧୀନଗର ଓ ଅମରେଲି, ରାଜସ୍ଥାନର ଯୋଧପୁର ଓ ସିରୋହି ଏବଂ ମଧ୍ୟପ୍ରଦେଶର ଭୋପାଳରେ ଏଭଳି ଗୁପ୍ତ ପରୀକ୍ଷାଗାରର ପର୍ଦ୍ଦାଫାସ କରିଛି।