ଇନ୍ଦୋରରୁ ବିପଜ୍ଜନକ ଡ୍ରଗ୍‌ସ ଜବତ

ଗୋଟିଏ ମିନିଟ୍‌ରେ ନେଇପାରିବ ୫୦ ଲକ୍ଷ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଇନ୍ଦୋରରେ ବେଆଇନ ଭାବେ ଚାଲିଥିବା ଏକ ରାସାୟନିକ ପରୀକ୍ଷାଗାରକୁ ଜବତ କରାଯାଇଛି। ଏହି ପରୀକ୍ଷାଗାରରୁ ବିଶ୍ବର ସବୁଠାରୁ ବିପଜ୍ଜନକ ରସାୟନ ଫେଣ୍ଟାନିଲ୍ ଜବତ ହୋଇଛି। ଏହି ରସାୟନ ଗୋଟିଏ ମିନିଟ୍‌ରେ ୫୦ ଲକ୍ଷ ଲୋକଙ୍କ ଜୀବନ ନେବାପାଇଁ ସକ୍ଷମ ବୋଲି ଡିଆର୍‌ଡିଓର ବୈଜ୍ଞାନିକମାନେ କହିଛନ୍ତି। ଜଣେ ଆମେରିକା ବିରୋଧୀ ଗବେଷକ ଏହି ରସାୟନ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ରାଜସ୍ବ ‌ଗୁଇନ୍ଦା ନିର୍ଦ୍ଦେଶାଳୟ ଏ ବାବଦରେ ଖବର ପାଇବା ପରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନର ବୈଜ୍ଞାନିକଙ୍କ ଏକ ଟିମ୍‌ ସହିତ ମିଳିତ ଚଢ଼ଉ କରିଥିଲେ ଏବଂ ଅପରେସନ ସଫଳ ହୋଇଥିଲା। ଏହି ବେଆଇନ ପରୀକ୍ଷାଗାରକୁ ଏବେ ଜବତ କରାଯାଇଛି ଏବଂ ରସାୟନ ଭାରତକୁ କିଭଳି ଆସିଲା ସେ ନେଇ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି। ଦେଶର ସୁରକ୍ଷା ନେଇ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏହି ରସାୟନ ଭାରତରେ ପ୍ରସ୍ତୁତ କରିବା ପଛରେ କାରଣ କ’ଣ ତାହା ଜଣାପଡ଼ିନାହିଁ। ଫେଣ୍ଟାନିଲ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ୪ ଏଏନ୍‌ପିପି ରସାୟନ ଭାରତକୁ ଚୀନ୍‌ରୁ ଆସିଥିବା ସନ୍ଦେହ କରାଯାଇଛି। ମେଡିକାଲ କ୍ଷେତ୍ରରେ ଫେଣ୍ଟାନିଲ୍‌ର ବ୍ୟବହାର ଇଂଜେକ୍ସନ ମାଧ୍ୟମରେ ଚର୍ମରୁ ଦାଗ ହଟାଇବା ପାଇଁ ବ୍ୟବହାର କରାଯାଏ। ରସାୟିନକ ଯୁଦ୍ଧରେ ଏହା ସବୁଠାରୁ ଘାତକ ବିବେଚିତ ହେଉଥିବା ବେଳେ ଚୀନ୍‌, ରୁଷ୍‌ ଏବଂ ଇସ୍ରାଏଲ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରିଥିବା ନଜିର ରହିଛି। ବେଆଇନ ପରୀକ୍ଷାଗାରରୁ ପ୍ରାୟ ୯ କିଲୋ ଫେଣ୍ଟାନିଲ ଜବତ ଘଟଣା ତଦନ୍ତକାରୀ ସଂସ୍ଥାକୁ ବିସ୍ମିତ କରିଦେଇଛି। ଭାରତରେ ଏହି ରସାୟନ ଜବତ ପ୍ରଥମ ଘଟଣା ହୋଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି।

ସମ୍ବନ୍ଧିତ ଖବର