ନୂଆଦିଲ୍ଲୀ: ଆଜି ନେପାଳରେ ଘଟିଥିବା ବିମାନ ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିବା ପରେ ସାରା ବିଶ୍ୱରେ ବଡ଼ ଧରଣର ବିମାନ ଦୁର୍ଘଟଣାର କାରଣ ଟେବୁଲ-ଟପ୍ ରନୱେ ଉପରେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଟେବୁଲ-ଟପ୍ ରନୱେ ଚାରିପଟ ସ୍ଥାନ ତୁଳନାରେ ଅପେକ୍ଷାକୃତ ଉଚ୍ଚରେ ଥାଏ। ସାମାନ୍ୟ ତ୍ରୁଟି ଘଟିଲେ ବା ବିମାନଟି ରନୱେରୁ ଖସିପଡ଼ିଲେ ବଡ଼ ଧରଣର ଦୁର୍ଘଟଣା ଘଟେ। ଭାରତର ୫ଟି ବିମାନବନ୍ଦରରେ ଏଭଳି ଟେବୁଲ-ଟପ୍ ରନୱେ ରହିଛି, ଯଥା- ସିମଲା, କାଲିକଟ, ମାଙ୍ଗାଲୋର, ଲେଙ୍ଗପୁଇ (ମିଜୋରାମ) ଓ ପାକ୍ୟୋଙ୍ଗ (ସିକ୍କିମ)। ସେଥିମଧ୍ୟରୁ କେରଳ ଓ ମାଙ୍ଗାଲୋର ବିମାନବନ୍ଦରରେ ଅତୀତରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ୨୦୧୦ ମେ ୨୨ତାରିଖରେ ଦୁବାଇରୁ ମାଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ୮୧୨ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ୬ ଜଣ କ୍ରୁ ମେମ୍ବରଙ୍କ ସମେତ ୧୫୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହାର ୧୦ ବର୍ଷ ପରେ ୨୦୨୦ ଅଗଷ୍ଟ ୭ ତାରିଖରେ ଦୁବାଇରୁ କୋଝିକୋଡ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଟେବୁଲ-ଟପ୍ ରନୱେରୁ ଖସି ପଡ଼ିଥିଲା। ଏଥିରେ ୧୯ ଜଣ ଯାତ୍ରୀ ଓ ଉଭୟ ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୬୯ ଜଣ ବଞ୍ଚିଯାଇଥିଲେ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଟେବୁଲ-ଟପ୍ ରନେୱ ଥିବା ବିମାନବନ୍ଦରଗୁଡ଼ିକର ନିୟମିତ ସମୀକ୍ଷା କରିଥାଏ।
ଏପରିକି ବିମାନ ଯାତ୍ରା ନିରାପତ୍ତା ରେକର୍ଡ ଖରାପ ଥିବା ନେପାଳରେ ମଧ୍ୟ ଅତୀତରେ ଟେବୁଲ-ଟପ୍ ରନୱେରେ ଦୁର୍ଘଟଣା ଘଟିଛି। ମେ ୨୭, ୨୦୧୭ରେ ସୋଲୁଖୁମ୍ବୁର ତେନଜିଙ୍ଗ-ହିଲାରୀ ବିମାନବନ୍ଦରରେ ଏକ ମାଲବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ସକାଳେ ଘଟିଥିବା ଦୁର୍ଘଟଣାରେ ବମ୍ବାର୍ଡିୟର ସିଆରଜେ ୨୦୦ ବିମାନଟି କାଠମାଣ୍ଡୁର ତ୍ରିଭୁବନ ବିମାନବନ୍ଦର ରନୱେରୁ ଖସିପଡ଼ି ଜଳିଯାଇଥିଲା।