ନାଗରିକତା ସଂଶୋଧନ ବିଲ୍‌ ସଂପର୍କରେ ମତ ରଖିବାର ଅଧିକାର ଆମେରିକାର ନାହିଁ : ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍‌-୨୦୧୯କୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ୱାଧୀନତା ସଂପର୍କିତ କମିଶନ (ୟୁଏସସିଆଇଆରଏଫ) ସମାଲୋଚନା କରିଥିବାରୁ ତାହାର ତୀବ୍ର ସମାଲୋଚନା କରିଛି ଭାରତ ।

ଏ ସଂପର୍କରେ ପ୍ରତିକ୍ରିୟା ରଖି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଏହି ପ୍ରସଙ୍ଗରେ ୟୁଏସସିଆଇଆରଏଫ ଦେଇଥିବା ବକ୍ତବ୍ୟରେ କୌଣସି ସତ୍ୟତା ନାହିଁ । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ୟୁଏସସିଆଇଆରଏଫର ନାହିଁ । ସେ କହିଛନ୍ତି, ଏନଆରସି ହେଉ କିମ୍ବା ସିଏବି, କୌଣସି ଆଇନରେ ଧର୍ମଭିତ୍ତିରେ କୌଣସି ଭାରତୀୟଙ୍କ ନାଗରିକତା ଛିନ୍ନ କରାଯିବ ନାହିଁ ।
ୟୁଏସସିଆଇଆରଏଫର ପୂର୍ବର ପକ୍ଷପାତପୂର୍ଣ୍ଣ ଆଭିମୁଖ୍ୟ ଦୃଷ୍ଟିରୁ ବର୍ତ୍ତମାନର ଆଭିମୁଖ୍ୟ ଆଶ୍ଚର୍ଯ୍ୟଜନକ ନୁହେଁ । କିନ୍ତୁ ଯେଉଁ ପ୍ରସଙ୍ଗରେ ତାହାର କୌଣସି ହସ୍ତକ୍ଷେପ କରିବାର ଅଧିକାର ନାହିଁ, ସେ ବିଷୟରେ ନିଜର ପକ୍ଷପାତପୂର୍ଣ୍ଣ ବୟାନ ରଖିବା ଦୁର୍ଭାଗ୍ୟଜନକ ବୋଲି କୁମାର କହିଛନ୍ତି ।
ଗତକାଲି ୟୁଏସସିଆଇଆରଏଫ କହିଥିଲା ଯେ ନୂଆ ଆଇନ ମଧ୍ୟମରେ ଭାରତ ଧର୍ମ ଭିତ୍ତିରେ ନାଗରିକତା ସ୍ଥିର କରିବ, ଯାହାକି ଦୁର୍ଭାଗ୍ୟଜନକ । ଯଦି ଏହି ବିଲ ସଂସଦର ଦୁଇଟି ଗୃହରେ ଗୃହୀତ ହୁଏ ତେବେ ଆମେରିକା ସରକାର ଅମିତ ଶାହାଙ୍କ ଉପରେ କଟକଣା ଲାଗୁ କରିବା ଆବଶ୍ୟକ ।

ସମ୍ବନ୍ଧିତ ଖବର