‘ବିପଦଜ୍ଜନକ ରାୟ’: ମନି ଲଣ୍ଡରିଂ ଆଇନ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କଲେ ବିରୋଧୀ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପରି ଏଜେନ୍‌ସିକୁ ଅଧିକ କ୍ଷମତା ପ୍ରଦାନ କରି ୨୦୧୯ରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ)ରେ କରାଯାଇଥିବା ସଂଶୋଧନକୁ ବଜାୟ ରଖି ନିକଟରେ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟକୁ ବିରୋଧ କରି ଦେଶର ୧୭ଟି ବିରୋଧୀ ଦଳ ଏହାକୁ ‘ବିପଦଜ୍ଜନକ’ ବୋଲି ଆଖ୍ୟା ଦେଇଛନ୍ତି।

ବିରୋଧୀ ଦଳମାନଙ୍କ ପକ୍ଷରୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଆମ୍‌ ଆଦମୀ ପାର୍ଟି, ସିପିଆଇ(ଏମ୍‌), ସମାଜବାଦୀ ପାର୍ଟି ଏବଂ ଆରଜେଡି ସମେତ ଆହୁରି ଅନେକ ବିରୋଧୀ ପ୍ରତିନିଧିଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ମିଳିତ ବିବୃତ୍ତିରେ ସେମାନେ କହିଛନ୍ତି, ‘ଆମେ ଆଶା କରୁଛୁ ଯେ ଏହି ବିପଦଜ୍ଜନକ ରାୟ ସ୍ୱଳ୍ପକାଳୀନ ହେବ ଏବଂ ସାମ୍ବିଧାନିକ ବ୍ୟବସ୍ଥା ଶୀଘ୍ର ବିଦ୍ୟମାନ ହେବ’।

ଉଲ୍ଲେଖଯୋଗ୍ୟ, ଜୁଲାଇ ୨୭ରେ ସର୍ବୋଚ୍ଚ ନ୍ୟାୟାଳୟ ସଂଶୋଧିତ ଆଇନ ଅନୁଯାୟୀ ଇଡିକୁ ଦିଆଯାଇଥିବା ବିଭିନ୍ନ କ୍ଷମତାର ବୈଧତାକୁ ସମର୍ଥନ କରିଥିଲେ; ଯାହାକୁ ପ୍ରାୟ ୨୫୦ ଆବେଦନ ଦ୍ୱାରା ଚ୍ୟାଲେଞ୍ଜ କରାଯାଇଥିଲା। ଏସଂପର୍କରେ ଅଦାଲତ ମୁଖ୍ୟ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ଗିରଫ କରିବାର କ୍ଷମତା ଇଡିର ବଳବତ୍ତର ରହିପାରିବ।

କିଛି ବିରୋଧୀ ଦଳ ପୂର୍ବରୁ କହିଥିଲେ ଯେ ଆଇନର ଅପବ୍ୟବହାର ଦ୍ୱାରା ରାଜନୈତିକ ପ୍ରତିଶୋଧ ପାଇଁ ଇଡିକୁ ବ୍ୟବହାର କରାଯାଉଛି। ସେମାନେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଇଡି ଆଗତ କରୁଥିବା ମାମଲାରେ ଆଇନ ଅନୁଯାୟୀ ବହୁତ କମ୍‌ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନରେନ୍ଦ୍ର ମୋଦୀ ସରକାରଙ୍କ ଆଠ ବର୍ଷ ମଧ୍ୟରେ ପୂର୍ବ ସରକାରଙ୍କ ତୁଳନାରେ ଇଡି ଦ୍ୱାରା ଚଢାଉ ୨୬ ଗୁଣ ବୃଦ୍ଧି ପାଇଛି, କିନ୍ତୁ ଦୋଷୀ ସାବ୍ୟସ୍ତ ହାର ଅତ୍ୟନ୍ତ କମ୍‌ ରହିଛି। ରାଜ୍ୟସଭାରେ ଅର୍ଥ ମନ୍ତ୍ରାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ୩,୦୧୦ ମନି ଲଣ୍ଡରିଂ ସମ୍ବନ୍ଧୀୟ ମାମଲାରେ ମାତ୍ର ୨୩ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିମଧ୍ୟରୁ ୧୧୨ଟି ମାମଲାରେ କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି।

ବିରୋଧୀ ମାନେ ପ୍ରଶ୍ନ କରିଛନ୍ତି ଯେ ସଂସଦରେ ଏହି ସଂଶୋଧନଗୁଡିକ କିପରି ଠେଲି ଦିଆଯାଇଥିଲା- ଏବଂ ସେହି ପ୍ରଶ୍ନ ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟରେ ଅଛି। ବିରୋଧୀଙ୍କ ବିବୃତ୍ତିରେ ଦର୍ଶାଯାଇଛି ଯେ ଏଗୁଡିକ ମନି ବିଲ୍‌ ଭାବରେ ଉପସ୍ଥାପିତ ଅର୍ଥ ଅଧିନିୟମ ଅନୁଯାୟୀ ପାରିତ ହୋଇଛି। ଚୂଡ଼ାନ୍ତ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବା ପୂର୍ବରୁ ଏହାକୁ ରାଜ୍ୟସଭାକୁ ପଠା ଯାଇ ନଥିଲା।

ଆମେ ଆମର ସର୍ବୋଚ୍ଚ ନ୍ୟାୟାଳୟକୁ ସର୍ବୋଚ୍ଚ ସମ୍ମାନ ଦେଇଥାଉ। ତଥାପି, ଆମେ ସୂଚିତ କରିବାକୁ ବାଧ୍ୟ ଯେ ସଂଶୋଧନ କରିବା ପାଇଁ ଅର୍ଥ ଆଇନ ମାର୍ଗର ସାମ୍ବିଧାନିକତା ଯାଞ୍ଚ ପାଇଁ ଏକ ବୃହତ ବେଞ୍ଚ ନିକଟକୁ ଏହି ରାୟକୁ ସମୀକ୍ଷା ନିମନ୍ତେ ପଠାଯିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର