ବ୍ରିଟେନ୍‌ରେ ଆତଙ୍କ ସୃଷ୍ଟିକାରୀ ଭୂତାଣୁ ଭାରତରେ: ଇନ୍ଦୋରରେ ଡେଲ୍‌ଟାର ନୂଆ ପ୍ରଜାତି ଚିହ୍ନଟ

ଦୁଇ ସେନା ଅଧିକାରୀଙ୍କ ସମେତ ୭ ସଂକ୍ରମିତ

ଇନ୍ଦୋର: ଗତବର୍ଷ ଅକ୍ଟୋବରରେ ଭାରତରେ ଚିହ୍ନଟ ହୋଇଥିବା କୋଭିଡ୍‌-୧୯ର ଏକ ନୂଆ ଭାରିଆଣ୍ଟ ହେଉଛି ଏୱାଇ.୪ ଏବଂ ଏହା ଡେଲ୍‌ଟାର ଏକ ସବ୍ ଭାରିଆଣ୍ଟ। ବ୍ରିଟେନ୍‌ରେ ଏହି ପ୍ରଜାତି ଏବେ ଆତଙ୍କ ସୃଷ୍ଟି କରିଛି ଏବଂ ସେଠାରେ ଦୈନିକ ସଂକ୍ରମଣ ୫୦ ହଜାରରେ ପହଞ୍ଚିବା ପଛରେ ଏହି ଭୂତାଣୁ ପ୍ରମୁଖ ଭୂମିକା ନେଇଛି। ମଧ୍ୟପ୍ରଦେଶରେ ହୋଇଥିବା ଜିନୋମ୍ ସିକ୍ବେନ୍ସିଂ ରିପୋର୍ଟରୁ ୭ଟି ନୂଆ ଏୱାଇ.୪ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍‌ସିଡିସି) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ସେପ୍ଟେମ୍ବର ମାସରେ ସଂଗୃହୀତ ନମୁନାରୁ ଏହି ନୂଆ କିସମ ଚିହ୍ନଟ ହୋଇଛି।

ଇନ୍ଦୋର ମୁଖ୍ୟ ମେଡିକାଲ ଓ ହେଲ୍‌ଥ ଅଫିସର ଡ. ବିଏସ୍ ସେତିୟାଙ୍କ କହିବା ଅନୁସାରେ ମହୁଁ କ୍ୟାଣ୍ଟନମେଣ୍ଟରେ ନିଯୁକ୍ତ ଦୁଇଜଣ ସେନା ଅଫିସର ଏହି ପ୍ରଜାତି ଦ୍ବାରା ସଂକ୍ରମିତ ହୋଇଥିଲେ। ମହାରାଷ୍ଟ୍ରରେ ୧ ପ୍ରତିଶତ ନମୁନାରେ ଏୱାଇ.୪ କିସମ ଚିହ୍ନଟ ହୋଇଛି। ଏନ୍‌ସିଡିସି ରିପୋର୍ଟ ଅନୁସାରେ ଅଗଷ୍ଟ ମାସରେ କୋଭିଡ୍‌-୧୯ ସଂକ୍ରମଣ ୬୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଡେଲ୍‌ଟାର ଏହି ଉପ-କିସମ ଯୋଗୁ ସେପ୍ଟେମ୍ବର ମାସରେ ଇନ୍ଦୋର ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଥିଲା। ସେପ୍ଟେମ୍ବର ୨୩ରୁ ୨୫ ଭିତରେ ମହୁଁ-ସ୍ଥିତ ଆର୍ମି ୱାର୍ କଲେଜରେ ପ୍ରାୟ ୩୦ ଜଣ ପ୍ରଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ସେମାନଙ୍କଠାରେ ରୋଗର କୌଣସି ଲକ୍ଷଣ ନ ଥିଲା ଏବଂ ସମସ୍ତେ ଦୁଇଟି ଡୋଜ୍ ଟିକା ନେଇଥିଲେ। ପରେ ସେମାନଙ୍କ ନମୁନା ଜିନୋମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା। ଏହାର ପ୍ରଥମ ରିପୋର୍ଟ ଅକ୍ଟୋବର ୧ରେ ବାହାରିଥିବା ବେଳେ ଦ୍ବିତୀୟ ରିପୋର୍ଟ ୧୬ରେ ପ୍ରକାଶ ପାଇଥିଲା। ଏମ୍‌ଜିଏମ୍ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ଅନୀତା ମୁଥା କହିଛନ୍ତି ଯେ, ଏୱାଇ.୪ ହେଉଛି ଡେଲ୍‌ଟା ଭାରିଆଣ୍ଟର ଏକ ଉପ-କିସମ। ଏହା ଡେଲ୍‌ଟା ନୁହେଁ କିମ୍ବା ଡେଲ୍‌ଟା ପ୍ଲସ୍ ବି ନୁହେଁ। ଭାରତରେ ଏହି କିସମ ପ୍ରଥମେ ମହାରାଷ୍ଟ୍ରରେ ଗତବର୍ଷ ଅକ୍ଟୋବର ମାସରେ ଚିହ୍ନଟ ହୋଇଥିଲା। ତେବେ ଏହି ନୂତନ କିସମ ବିଷୟରେ ବେଶି କିଛି ଗବେଷଣାଲବ୍ଧ ତଥ୍ୟ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର