ଲଣ୍ଡନ: ବ୍ରିଟେନ୍‌ରେ କୋଭିଡ୍‌ର ଓମିକ୍ରନ୍‌ ପ୍ରଜାତି ଦ୍ବାରା ଅତି କ୍ଷିପ୍ର ସଂକ୍ରମଣ ଚାଲିଥିବାରୁ ଏହାକୁ ରୋକିବା ପାଇଁ ୨ ସପ୍ତାହ ଲକ୍‌ଡାଉନ୍‌ କରିବାକୁ ଯୋଜନା ଚାଲିଛି। ଲଣ୍ଡନ୍‌ର ବିଭିନ୍ନ ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ବଢ଼ିଛି। ଦୈନିକ ସଂକ୍ରମଣ ଏବେ ୯୦ ହଜାର ଉପରେ ରହିବା ସହ ମୋଟ୍‌ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଅତିକ୍ରମ କରିଯାଇଥିବାରୁ ସରକାର କଠୋର କଟକଣା ପାଇଁ ପ୍ରସ୍ତୁତ ହେଉଛନ୍ତି। ବ୍ରିଟେନ୍‌ରେ ଲକ୍‌ଡାଉନ୍‌ ଘୋଷଣା ପୂର୍ବରୁ ଓମିକ୍ରନ୍‌କୁ ନେଇ ବୈଜ୍ଞାନିକ ଡାଟା ଏବଂ ଅନ୍ୟ ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ବୋଲି ବ୍ରିଟେନ୍‌ ସ୍ବାସ୍ଥ୍ୟ ସଚିବ କହିଛନ୍ତି।

Advertisment

ଲଣ୍ଡନ ମେୟର ସାଦିକ୍ ଖାନ୍‌ କହିଛନ୍ତି ଯେ ସାମାଜିକ ଦୂରତା ପାଳନ ସହିତ ପ୍ରତ୍ୟେକ ପରିବାର ସରକାରଙ୍କ ଦ୍ବାରା ଧାର୍ଯ୍ୟ କଟକଣା ପାଳନ କରିବାକୁ ପଡ଼ିବ। ତେବେ ଅଚାନକ ଲକ୍‌ଡାଉନ୍‌ ଲାଗୁ ନକରିବା ପାଇଁ ବିଭିନ୍ନ ମହଲ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଗତକାଲି ବ୍ରେକ୍ସିଟ ମନ୍ତ୍ରୀ ଲର୍ଡ ଫ୍ରଷ୍ଟ୍‌ଙ୍କ ଇସ୍ତଫାକୁ ନେଇ ମଧ୍ୟ ରାଜନୀତି ସରଗରମ ରହିଛି । ବ୍ରିଟିଶ ଚ୍ୟାମ୍ବର ଅଫ୍‌ କମର୍ସ ବ୍ୟବସାୟରେ ହେଉଥିବା କ୍ଷତିକୁ ଦୃଷ୍ଟିରେ ରଖି ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଜି ଦୃଢ଼ ଦାବି ଉପସ୍ଥାପନ କରିଛି। ଇତିମଧ୍ୟରେ ଜର୍ମାନୀ ବ୍ରିଟିଶ ନାଗରିକଙ୍କ ଆଗମନ ଉପରେ କଟକଣା ଲାଗୁ କରିଛି। ନେଦରଲାଣ୍ଡ୍‌ କରୋନା ସଂକ୍ରମଣକୁ ରୋକିବା ପାଇଁ କଡ଼ା ଲକ୍‌ଡାଉନ୍‌ କାର୍ଯ୍ୟକାରୀ କରିଛି। ବ୍ରିଟେନ୍‌ରେ ଓମିକ୍ରନ୍‌ଜନିତ ମୃତ୍ୟୁ ସଂଖ୍ୟା ଏବେ ୭ରେ ପହଞ୍ଚିଛି ଏବଂ ଗୁରୁତର ରୋଗୀଙ୍କ ସଂଖ୍ୟା ୨୦୦ ଭିତରେ ରହିଛି।