କାରୋଲିନା: ଆମେରିକାର ଉତ୍ତର କାରୋଲିନା, ଦକ୍ଷିଣ କାରୋଲିନା ଏବଂ ଭର୍ଜିନିଆରେ ଏବେ ସାମୁଦ୍ରିକ ଝଡ଼ ‘ଫ୍ଲୋରେନ୍ସ’ ଆତଙ୍କ ଖେଳାଇ ଦେଇଛି। ଏହାର ପ୍ରଭାବରେ ଆଜି ଉତ୍ତର କାରୋଲିନା ଓ ଭର୍ଜିନିଆରେ ପବନ ବହିବା ଆରମ୍ଭ କରିଥିବା ବେଳେ ଶୁକ୍ରବାର ପବନର ବେଗ ବଢ଼ିବ ବୋଲି ପାଣିପାଗ ବିଭାଗ ରିପୋର୍ଟ ଦେଇଛି। ସେହିଭଳି ଶୁକ୍ରବାର ସୁଦ୍ଧା ଦକ୍ଷିଣ କାରୋଲିନାରେ ‘ଫ୍ଲୋରେନ୍ସ’ ତାଣ୍ଡବ ରଚାଇବ ବୋଲି ଆଶଙ୍କା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
‘ଫ୍ଲୋରେନ୍ସ’ ଗତକାଲି ୪ ନମ୍ବର ବିପଦ ବର୍ଗରେ ରହିଥିବାରୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର କାରୋଲିନା ଓ ଭର୍ଜିନିଆରେ ୧୦ ଲକ୍ଷ ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି କିନ୍ତୁ ଏହା ୨ ନମ୍ବର ବିପଦ ବର୍ଗକୁ ଖସିଆସିଛି। ତଥାପି ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ଏହାବ୍ୟତୀତ ଆମେରିକାର ପରମାଣୁ ଶକ୍ତି କେନ୍ଦ୍ର ଫ୍ଲୋରେନ୍ସ କବଳରେ ପଡ଼ି କ୍ଷତିଗ୍ରସ୍ତ ହୋଇପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି। ଉତ୍ତର କାରୋଲିନା, ଦକ୍ଷିଣ କାରୋଲିନା ଏବଂ ଭର୍ଜିନିଆରେ ୧୬ଟି ପରମାଣୁ ରିଆକ୍ଟର ରହିଛି। ଅନ୍ୟପକ୍ଷରେ ସାମୁଦ୍ରିକ ଝଡ଼ ହେତୁ କାରୋଲିନାରେ ଭୟଙ୍କର ବନ୍ୟା ଆସିବା ଆଶଙ୍କା କରାଯାଇଛି। ଫ୍ଲୋରେନ୍ସ ପ୍ରଭାବରେ କାରୋଲିନାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏବେ ପ୍ରବଳ ବର୍ଷା ଲାଗି ରହିଛି। ଉତ୍ତର କାରୋଲିନାରେ ଏବେ ଘଣ୍ଟା ପ୍ରତି ୧୧୦ ମାଇଲ୍ ବେଗରେ ପବନ ବହୁଛି। ଅନେକ ସ୍ଥାନରେ ଭୂସ୍ଖଳନ ନେଇ ସତର୍କ ସୂଚନା ଜାରି ହୋଇଛି। ଗୁରୁବାର ସକାଳ ୮ଟା ସୁଦ୍ଧା ଫ୍ଲୋରେନ୍ସ ଉତ୍ତର କାରୋଲିନାର ଓ୍ଵିଲମିଙ୍ଗଟନ୍ଠାରୁ ୨୭୫ ମାଇଲ୍ ପୂର୍ବ ଦକ୍ଷିଣପୂର୍ବରେ ଥିଲା। ତେବେ ଆଜି ବିଳମ୍ବିତ ରାତି କିମ୍ବା ଶୁକ୍ରବାର ସକାଳ ସୁଦ୍ଧା ଫ୍ଲୋରେନ୍ସ ଉତ୍ତର ଏବଂ ଦକ୍ଷିଣ କାରୋଲିନା ଉପକୂଳ ଅଞ୍ଚଳରେ ମାଡ଼ ହେବ।