ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ହଂକଂର ଗୋଟାଏ ୬୮ ତାଲା କୋଠା (୭୨୧ ଫୁଟ୍ ଉଚ୍ଚ) ଉପରୁ ପଡ଼ି ଜଣେ ଦୁଃସାହସୀ ନଭଶ୍ଚୁମ୍ବୀ ଅଟ୍ଟାଳିକା ଆରୋହୀଙ୍କର ମୃତ୍ୟୁ ଘଟିଥିବା କଥା ‘ମେଲ୍ଅନ୍ଲାଇ’ ରିପୋର୍ଟ କରିଛି।
ରିମି ଲୁସିଡି ନାମକ ସେ ୩୦ ବର୍ଷିୟ ଯୁବକ ବିଶ୍ବର ଅନେକ ସୁଉଚ୍ଚ ଅଟ୍ଟାଳିକା, କ୍ରେନ୍, ସେତୁ, ବିଜୁଳି ତାର ଟଣାଯାଉଥିବା ଟାୱାର୍ ଏବଂ ଟ୍ରାନ୍ସ୍ମିଟର୍ ଆଦି ଆରୋହଣ କରି ‘ଇଷ୍ଟାଗ୍ରାମ୍’ ଜରିଆରେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲେ।
ସାମାଜିକ ଗଣମାଧ୍ୟମରେ ‘ରିମି ଏନିଗ୍ମା’ ଭାବେ ସୁପରିଚିତ ଲୁସିଡି ହଂକଂର ମାଳଅଞ୍ଚଳରେ ଥିବା ‘ମିଡ୍-ଲେବଲ୍’ ଅନ୍ତର୍ଗତ ୭୨୧ ଫୁଟ୍ ଉଚ୍ଚ ‘ରେସିଡେନ୍ସିଆଲ୍ ବ୍ଲକ୍’ ‘ଟ୍ରେଙ୍ଗୁଣ୍ଟର୍ ଟାୱାର୍’ର ୬୮ ତାଲାକୁ ଚଢ଼ିଥିଲେ।
/sambad/media/post_attachments/wp-content/uploads/2023/07/edifice-300x273.jpg)
୬୮ ମହଲା ଉପରେ ଚଢ଼ିବା ପରେ ଲୁସିଡି ଖସିପଡ଼ି ପ୍ରଥମେ ସେଠାରେ ଥିବା ଗୋଟାଏ ଝରକା ଉପରେ ପଡ଼ି ଲାଖି ରହିଥିଲେ। ଏହା ଦେଖି ସେ ଘରେ କାମ କରୁଥିବା ଜଣେ ଗୃହସହାୟିକା ତାଙ୍କୁ ଝରକା ବାଟେ ଘର ଭିତରକୁ ଟାଣି ଆଣିବାକୁ ଉଦ୍ୟମ କରିଥିଲେ। କିନ୍ତୁ, ସେଥିରେ ଆଉ କେହି ସହାୟତା କରିବା ଲାଗି ଆସି ପହଞ୍ଚିବା ପୂର୍ବରୁ ଲୁସିଡି ଭାରସାମ୍ୟ ହରାଇ ତଳକୁ ପଡ଼ିଯାଇଥିଲେ। ଏହାପରେ ଗୃହସହାୟିକା ପୁଲିସକୁ ଖବର ଦେଇଥିଲେ।
ସେଦିନ ସନ୍ଧ୍ୟା ୭.୩୦ରେ ଫ୍ରାନ୍ସର ସେ ଦୁଃସାହସୀ ବା ‘ଡେୟାର୍ଡେଭିଲ୍’ ଲୁସିଡି ଉକ୍ତ ଟାୱାର୍ରେ ପହଞ୍ଚି ସିକ୍ୟୁରିଟି ଗାର୍ଡଙ୍କୁ କହିଥିଲେ କି, ସେ ଜଣେ ବନ୍ଧୁଙ୍କୁ ଭେଟିବାକୁ ୪୦ ତାଲାକୁ ଯାଉଛନ୍ତି।
ଅଟ୍ଟାଳିକାର ‘ସର୍ଭିଲେନ୍ସ୍ କ୍ୟାମେରା’ ଫୁଟେଜ୍ରେ ଦେଖାଯାଉଛି ଲୁସିଡି ସିଡ଼ି ବାଟେ ୬୮ ତାଲାକୁ ଯିବା ଆଗରୁ ୪୯ ତାଲାରେ ଲିଫ୍ଟ୍ରୁ ବାହାରୁଛନ୍ତି। ଛାତର କବାଟ ବନ୍ଦ ଥିଲା। କିନ୍ତୁ, ଲୁସିଡି ବଳପ୍ରୟୋଗ କରି ତାକୁ ଖୋଲି ଫଟୋ ଉଠାଇଥିଲେ। ତାଙ୍କ ମୃତ୍ୟୁ ପ୍ରକୃତ କାରଣ ବିଷୟରେ ପୁଲିସ କୌଣସି ବିବୃତି ଦେଇନାହିଁ।