ଅନ୍ଧାର ହୋଇଯିବ କି ଏକି ୧୩ଟି ରାଜ୍ୟ, ବିଜୁଳି କିଣିବା ଉପରେ କଟକଣା ଲଗାଇଲା କେନ୍ଦ୍ର

ନୂଆଦିଲ୍ଲୀ :  ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ବିଜୁଳି ସଂକଟ ବଢିବାର ଆଶଙ୍କା ଦେଖାଦେଇଛି । ବିଜୁଳି ଉତ୍ପାଦନ କରୁଥିବା ପାଓ୍ବାର ପ୍ଲାଣ୍ଟ ମାନଙ୍କ ବିପୁଳ ଦେୟ ବକେୟା ରଖିଥିବାରୁ ଏସବୁ ରାଜ୍ୟମାନଙ୍କୁ ପାଓ୍ବାର ଏକ୍ସଚେଞ୍ଜଗୁଡ଼ିକରୁ ବିଜୁଳି କିଣିବା ଉପରେ କଟକଣା ଲଗାଇଛି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ।

ଏସବୁ ରାଜ୍ୟମାନେ ହେଲେ ତାମିଲନାଡୁ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମଣିପୁର, ମିଜୋରାମ, ଝାଡଖଣ୍ଡ, ବିହାର, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ଏବଂ ଛତିଶଗଡ।

ଏସବୁ ରାଜ୍ୟମାନେ ବିଜୁଳି ଉତ୍ପାଦନକାରୀ କମ୍ପାନିମାନଙ୍କ ବିପୁଳ ପରିମାଣର ଦେୟ ବକେୟା ରଖିଥିବାରୁ ଏମାନଙ୍କୁ ଦେଶର ୩ଟି ପାଓ୍ବାର ଏକ୍ସଚେଞ୍ଜ- ଇଣ୍ଡିଆନ ଏନର୍ଜି ଏକ୍ସଚେଞ୍ଜ, ପାଓ୍ବାର ଏକ୍ସଚେଞ୍ଜ ଅଫ ଇଣ୍ଡିଆ ଓ ହିନ୍ଦୁସ୍ତାନ ପାଓ୍ବାର ଏକ୍ସଚେଞ୍ଜରୁ ବିଜୁଳି କିଣିବା ଉପରେ କଟକଣା ଲଗାଇଛି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଅନ୍ତର୍ଗତ ପାଓ୍ବାର ସିଷ୍ଟମ ଅପରେସନ କର୍ପୋରେସନ ଲିଃ (ପୋସୋକୋ) । ଏସବୁ ରାଜ୍ୟର ମୋଟ ୨୭ଟି ବିତରଣ କମ୍ପାନି ଉପରେ ଏହି କଟକଣା ଲଗାଯାଇଛି । ଏସବୁ ବିତରଣ କମ୍ପାନିମାନେ ମୋଟ ୫୦୮୫ କୋଟି ଟଙ୍କାର ବକେୟା ରଖିଛନ୍ତି ।

ପୋସୋକୋ ଭାରତୀୟ ଶକ୍ତି କ୍ଷେତ୍ରର ସମନ୍ବିତ ପରିଚାଳନା କରିଥାଏ । ପ୍ରଥମ ଥର ପାଇଁ ପୋସୋକୋ ପକ୍ଷରୁ ଏତେ ସଂଖ୍ୟକ ରାଜ୍ୟଙ୍କ ଉପରେ କଟକଣା ଲଗାଯାଇଛି । ବିତରଣ କମ୍ପାନିମାନେ ପ୍ରବଳ ବକେୟା ରଖୁଥିବାରୁ ନିକଟରେ ଶକ୍ତି ମନ୍ତ୍ରାଳୟ ଏକ ନୂଆ ନିୟମ ପ୍ରଣୟନ କରିଥିଲା ।

 

ସମ୍ବନ୍ଧିତ ଖବର