କୋଚ୍‌ ରମେଶ ପଓ୍ଵାର କରିଥିବା ଅଭିଯୋଗ ଉପରେ ମନ୍ତବ୍ୟ ରଖିଲେ ଅଧିନାୟିକା ମିତାଲି; କହିଲେ ‘ମୋ ଜୀବନରେ ଏକ କଳା ଦିନ’

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ ମହିଳା କ୍ରିକେଟର କୋଚ୍‌ ରମେଶ ପଓ୍ଵାର କରିଥିବା ଅଭିଯୋଗ ଉପରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ଅଧିନାୟିକା ମିତାଲି ରାଜ। ଦଳର ବରିଷ୍ଠ ଖେଳାଳିମାନେ ଡ୍ରେସିଂ ରୁମ୍‌ ଭିତରେ କନିଷ୍ଠ ଖେଳାଳିମାନଙ୍କ ପ୍ରତି ରୁକ୍ଷ ବ୍ୟବହାର ପ୍ରଦର୍ଶନ ସହ ଖରାପ ବାତାବାରଣ ସୃଷ୍ଟି କରନ୍ତି ବୋଲି ମହିଳା କ୍ରିକେଟ କୋଚ୍‌ ରମେଶ ପଓ୍ଵାର କରିଥିବା ଅଭିଯୋଗ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମିତାଲି। ସୋସିଆଲ ମିଡିଆରେ ଏହାକୁ ତାଙ୍କ ପାଇଁ ଏକ ଦୁର୍ଦ୍ଦିନଭରା ଦିନ ବୋଲି ଉଲ୍ଲେଖ କରିବା ସହ ତାଙ୍କର ଖେଳ ପ୍ରତି ରହିଥିବା ଅଙ୍ଗୀକାରବଦ୍ଧତା ଉପରେ ପ୍ରଶ୍ନ ଚିହ୍ନ ଲଗାଯାଇଥିବାରୁ ସେ ଗଭୀର ଭାବେ ମର୍ମାହତ ବୋଲି ଉଲ୍ଲେଖ କରିଛନ୍ତି ମିଥାଲି।


ମିତାଲି ତାଙ୍କର ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି, ‘ମୋ ଉପରେ ଯେଉଁ ଆରୋପ ଲଗା ଯାଇଛି, ସେଥିରେ ମୁଁ ଗଭୀର ଭାବେ ମର୍ମାହତ ଓ ଦୁଃଖିତ। ନିଜ ଦେଶ ପାଇଁ ଦୀର୍ଘ ୨୦ ବର୍ଷ କାଳ ଖେଳିବା ପରେ ଖେଳ ପ୍ରତି ମୋ ଅଙ୍ଗୀକାରବଦ୍ଧତା ପ୍ରତି ଯେପରି ପ୍ରଶ୍ନ ଉଠାଯାଇଛି ତାହା ମୋତେ ବ୍ୟଥିତ କରିଛି। ମୋ କଠନ ଓ ଝାଳବୁହା ପରିଶ୍ରମ ଆଜି ବ୍ୟର୍ଥ ଯାଇଛି। ମୋ ପ୍ରେମକୁ ସନ୍ଦେହ ଦୃଷ୍ଟିରେ ଦେଖାଯିବା ସହ ମୋ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ମୋ ଉପରକୁ କାଦୁଅ ଫୋପଡ଼ା ଯାଇଛି- ଏସବୁ ଘଟଣା ପରିପ୍ରେକ୍ଷୀରେ ଆଜିର ଦିନଟି ମୋ ପାଇଁ ଦୁର୍ଦ୍ଦିନରେ ଭରା ଏକ କଳା, ଅନ୍ଧକାର ଦିବସ। ଏହାକୁ ସହ୍ୟ କରିବା ପାଇଁ ଇଶ୍ୱର ମୋତେ ଶକ୍ତି ଦିଅନ୍ତୁ’, ବୋଲି ଲେଖିଛନ୍ତି ମିତାଲି।

ସମ୍ବନ୍ଧିତ ଖବର