ଭୋପାଳ: ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ପରିସ୍ରା କାଣ୍ଡର ଶିକାର ହୋଇଥିବା ବ୍ୟକ୍ତି ରାଜନୀତିରେ ପ୍ରବେଶ କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ପୀଡିତ ଦଶମତ ରାୱତ ଚନ୍ଦ୍ରଶେଖର ଆଜାଦଙ୍କ ଦଳ ଆଜାଦ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଟାର୍ଗେଟ କରି ଦଶମତ ରାୱତ କହିଛନ୍ତି, "ମୁଁ ଚାରିମାସ ଧରି ପୁଲିସର ସୁରକ୍ଷା ପାଇଲି କିନ୍ତୁ ଏହି ସମୟ ମଧ୍ୟରେ କେହି ମୋ ସହ କଥା ହେବାକୁ ଚେଷ୍ଟା କରିନଥିଲେ କିମ୍ବା ମୋ ଫୋନକୁ କେହି ଉଠାଇ ନଥିଲେ। କେବଳ ଗୋଟିଏ ଦଳ ଯିଏ ମୋ ପାଇଁ ଚିନ୍ତା କରିଥିଲା, ଏହା ହେଉଛି ଆଜାଦ ସମାଜ ପାର୍ଟି, ତେଣୁ ମୁଁ ଏହି ଦଳରେ ଯୋଗ ଦେଇଛି।
ଉଲ୍ଲେଖ ଥାଉ କି ଯେ ଚଳିତ ବର୍ଷ ଜୁଲାଇରେ ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ବିଜେପି ନେତା ପ୍ରବେଶ ଶୁକ୍ଳା ଆଦିବାସୀ ଶ୍ରମିକ ଦଶମତ ରାୱତ ଉପରେ ପରିସ୍ରା କରୁଥିବା ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ କେବଳ ମଧ୍ୟପ୍ରଦେଶରେ ନୁହେଁ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ଏହାପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦଶମତ ରାୱତଙ୍କୁ ଡାକି ତାଙ୍କୁ ଭେଟିଥିଲେ। ଏପରିକି ସେ ପୀଡିତଙ୍କ ପାଦ ଧୋଇଥିଲେ। ମୁଖ୍ୟମନ୍ତ୍ରୀ ଦଶମତ ରାୱତଙ୍କ ପାଦ ଧୋଇଦେବା ସହ ତାଙ୍କୁ ଫୁଲମାଳ ପିନ୍ଧାଇ ଓ ଏକ ଶାଲ ଦେଇ ସମ୍ମାନିତ କରିଥିଲେ ଏଥି ସହ ତାଙ୍କୁ ନିଜ କାର୍ରେ ଭୋପାଳସ୍ଥିତ ସ୍ମାର୍ଟ ସିଟି ପାର୍କକୁ ନେଇ ଏକ ଗଛ ଲଗାଇଥିଲେ।