ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ସଙ୍ଗୀନ୍ ଅଭିଯୋଗ କରି କହିଛନ୍ତି ଯେ ରାଫେଲ ବିମାନର ନିର୍ମାଣକାରୀ କମ୍ପାନି ଦାସଲ୍ଟ ଏଭିଏସନ୍ ଲାଞ୍ଚ (କିକ୍ବ୍ୟାକ୍)ର ପ୍ରଥମ କିସ୍ତି ବାବଦରେ ୨୮୪ କୋଟି ଟଙ୍କା ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ପ୍ରଦାନ କରିଛି। ଏବଂ ଏସଂପର୍କରେ ତଦନ୍ତ ଆରମ୍ଭ ହେଲେ ବନ୍ଧା ହେବାଟା ସୁନିଶ୍ଚିତ ବୋଲି ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଡରରେ ‘ବିନିଦ୍ର ରଜନୀ’ କାଟୁଛନ୍ତି।
ଖାଲି ଏତିକି ନୁହେଁ, ରାଫେଲ ଦୁର୍ନୀତି ସଂପର୍କରେ ସମସ୍ତ ତଥ୍ୟ ପ୍ରମାଣ ପାଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ଆଲୋକ ବର୍ମା ଯେତେବେଳେ ରାଫେଲ ଦୁର୍ନୀତି ଉପରେ ତଦନ୍ତ ଆରମ୍ଭ କରିବାକୁ ବସିଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ରାତିଅଧିଆ ବାଧ୍ୟତାମୂଳକ ଛୁଟିରେ ପଠାଇଦେଲେ ବୋଲି ନୂଆଦିଲ୍ଲୀର ଏଆଇସିସିର ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଜି ଅଭିଯୋଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।
/sambad/media/post_attachments/wp-content/uploads/2018/11/rahul-gandhi-1.jpg)
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆଜିର ଏ ନୂତନ ଅଭିଯୋଗ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ କେନ୍ଦ୍ର ସରକାର ଓ ଅନିଲ ଅମ୍ବାନି ନିରବ ରହିଛନ୍ତି। ଯଦିଓ ପୂର୍ବରୁ ଉଭୟ କେନ୍ଦ୍ର ସରକାର ଓ ଅନିଲ ଅମ୍ବାନି ରାହୁଲଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ରାଫେଲ କିଣା ପ୍ରସଙ୍ଗରେ କୌଣସି ପ୍ରକାରର ଦୁର୍ନୀତି ହୋଇନାହିଁ ବୋଲି ବାରମ୍ବାର ସଫେଇ ଦେଇ ଆସୁଥିଲେ।
ଉଲ୍ଲେଖଯୋଗ୍ୟ, ନିକଟରେ ଦାସଲ୍ଟ ଏଭିଏସନ୍ର ସିଇଓ ଏରିକ୍ ଟ୍ରାପିଅର ଗଣମାଧ୍ୟମକୁ କହିଥିଲେ ଯେ ଏହି ପ୍ରକଳ୍ପ ପାଇଁ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ ନିକଟରେ ଜମି ଥିବାବେଳେ ରାଷ୍ଟ୍ରାୟତ୍ତ ହିନ୍ଦୁସ୍ତାନ୍ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ନିକଟରେ ଜମି ନାହିଁ ବୋଲି ଭାରତ ସରକାର କହିବା ପରେ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ଦାସଲ୍ଟ ଏଭିଏସନ ପକ୍ଷରୁ ‘ଅଫ୍ସେଟ୍ କଣ୍ଟ୍ରାକ୍ଟ’ ପ୍ରଦାନ କରାଯାଇଥିଲା। ଭାରତ ସରକାରଙ୍କ ପ୍ରସ୍ତାବ ଅନୁଯାୟୀ ବର୍ତ୍ତମାନ କ୍ଷତିରେ ଚାଲୁଥିବା ଅମ୍ବାନୀଙ୍କ କମ୍ପାନିକୁ ଦାସଲ୍ଟ ଏଭିଏସନ ପକ୍ଷରୁ ‘କିକ୍ବ୍ୟାକ୍’ର ପ୍ରଥମ କିସ୍ତି ବାବଦରେ ୨୮୪ କୋଟି ପ୍ରଦାନ କରାଯିବା ପରେ ଏବେ ସେଇ ଅର୍ଥରେ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ ଜମି କିଣିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଦାସଲ୍ଟ ଏଭିଏସନ୍ର ସିଇଓ ଏରିକ୍ ଟ୍ରାପିଅର। ଦାସଲ୍ଟ ଏଭିଏସନ୍ର ସିଇଓଙ୍କ ଏହି ବିବୃତି ପରେ ଆଜି ରାଫେଲ ଦୁର୍ନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଉଥରେ ଜୋରଦାର ହାମ୍ଲା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/rahul-gandhi-.jpg)