ନୂଆଦିଲ୍ଲୀ : ଭାରତକୁ ୩୬ ଟି ଅତ୍ୟାଧୁନିକ ରାଫେଲ୍‌ ଯୁଦ୍ଧ ବିମାନ ଯୋଗାଇଦେବାକୁ ୨୦୧୬ ସେପ୍ଟେମ୍ବରରେ ୫୯ ହଜାର କୋଟି ଟଙ୍କାର ଚୁକ୍ତି କରିଥିବା ଫ୍ରାନ୍ସର ଡାସଲ୍ଟ ଏଭିଏସନ୍‌ ଓ ଏମ୍‌ବିଡିଏ କମ୍ପାନି ସେମାନଙ୍କ ରାଜିନାମା ମୁତାବକ ଭାରତକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବାରେ ବିଫଳ ହୋଇଛନ୍ତି ବୋଲି ସିଏଜି କ୍ଷୋଭ ପ୍ରକାଶ କରିଛନ୍ତି।

Advertisment

ଚୁକ୍ତିନାମା ଅନୁଯାୟୀ, ଚୁକ୍ତି ପରିମାଣର ୫୦ ପ୍ରତିଶତ ଅର୍ଥ ଏହି ଫରାସୀ କମ୍ପାନି ଦ୍ବୟ ଭାରତକୁ ଭରଣା କରିବେ ଅଥବା ଏଥିରେ ପୁନର୍ନିବେଶ ବାବଦରେ ବିନିଯୋଗ କରିବା କଥା। ମାତ୍ର ବୁଧବାର ସଂସଦରେ ସିଏଜି ଦ୍ବାରା ଉପସ୍ଥାପିତ 'ପ୍ରତିରକ୍ଷା କ୍ଷତିପୂରଣ ପରିଚାଳନା' ରିପୋର୍ଟ ଅନୁଯାୟୀ, ଏହି କମ୍ପାନିମାନେ ଚୁକ୍ତି ପରିମାଣର ୩୦ ପ୍ରତିଶତ ଅର୍ଥ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା(ଡିଆର୍‌ଡିଏ)କୁ ଉଚ୍ଚମାନର ବୈଷୟିକ ଜ୍ଞାନକୌଶଳ ଯୋଗାଇଦେବା ବାବଦରେ ବିନିଯୋଗ କରିବାକୁ ଦେଇଥିବା ପ୍ରାରମ୍ଭିକ କଥା ରଖିନାହାନ୍ତି। ଅବଶ୍ୟ ରାଫେଲ ପାଇଁ ହୋଇଥିବା ଚୁକ୍ତି ମୁତାବକ ଏହି ଭରଣା ପୂରଣ ପାଇଁ ସାତବର୍ଷ ସମୟ ଅବଧି ରହିଥିବା ବେଳେ ପ୍ରଥମ ତିନି ବର୍ଷ ଭିତରେ କିଛି ହୋଇନାହିଁ। ତେବେ ଏହି ଭରଣାର ସିଂହଭାଗ ଅର୍ଥାତ୍‌ ଏମ୍‌ବିଡିଏ ଦ୍ବାରା ୫୭ ପ୍ରତିଶତ ଓ ଡାସଲଟ୍‌ ଦ୍ବାରା ୫୮ ପ୍ରତିଶତ କେବଳ ଶେଷ ତଥା ସପ୍ତମ ବର୍ଷ(୨୦୨୩)ରେ ପୂରଣ କରିବା ପାଇଁ ରହିଥିବା ପ୍ରାବଧାନକୁ ସିଏଜି ସମାଲୋଚନା କରିଛନ୍ତି।